ବର୍ବରତାର ସୀମା ଟପିଲା ପୁଟିନ୍ ସେନା । ୟୁକ୍ରେନର ଯୁଦ୍ଧ ଭୂମିରୁ ଆସିଲା ଛାତି ଥରାଇ ଦେବା ଭଳି ଦୃଶ୍ୟ ।

571

କନକ ବ୍ୟୁରୋ : ରୁଷ୍ ଓ ୟୁକ୍ରେନ ଯୁଦ୍ଧ ଲମ୍ବି ଚାଲିଥିବା ବେଳେ ଯୁଦ୍ଧଭୂମିରୁ ଭୟାନକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ବୁଚା ସହରର ଦୃଶ୍ୟକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ରୁଷ ସେନାର ନରସଂହାର ପରେ ଏଠାରେ ରାଜରାସ୍ତା ଉପରେ ପଡ଼ିରହିଛି ଶହ ଶହ ଶବ । ଏହି ଘଟଣାକୁ ଭାରତ ଦୃଢ଼ ଭାବେ ନିନ୍ଦା କରିବା ସହ ତଦନ୍ତ ପାଇଁ ଦାବି କରିଛି । ଯୁଦ୍ଧ ଯେତେ ଲମ୍ବା ହେଉଛି, ସେତିକି ହତାଶ ହୋଇପଡ଼ୁଛନ୍ତି ପୁଟିନ୍ ଓ ତାଙ୍କ ସେନା । ଫଳରେ ବର୍ବରକାଣ୍ଡ ଘଟାଇବାକୁ ପଛାଉ ନାହାନ୍ତି । ୟୁକ୍ରେନର ବୁଚା ସହରରୁ ଆସିଥିବା କିଛି ଦୃଶ୍ୟ ଏହାର ପ୍ରମାଣ ପାଲଟିଛି ।

ବର୍ବରତାର ସୀମା ଟପିଲା ପୁଟିନ୍ ସେନା । ସହର ମଧ୍ୟରେ କୁଢ଼ କୁଢ଼ ଶବ । ସାଟେଲାଇଟ୍ ଯୋଗେ ଉତୋଳନ କରାଯାଇଥିବା ୟୁକ୍ରେନର ବୁଚା ସହରର ଫଟୋରେ ଲାଲ ଚିହ୍ନିତ ଅଂଶରୁ ଜଣାପଡ଼ୁଛି ସହରର ରାଜରାସ୍ତାରେ ଶବ ପଡ଼ିରହିଛି । ତେବେ ଫଟୋଟି ୧୯ ମାର୍ଚ୍ଚର ବୋଲି ଜଣାପଡିଛି । ସାଟୋଲାଇଟ୍ ଉଠାଇଥିବା ଚିତ୍ର ଗୋଟିଏ କଥା ବୟାନ କରୁଛି, ସହରରେ ରୁଷ୍ ସେନା କେମିତି ଅମାନୁଷିକ ଭାବେ ନରସଂହାର ରଚିଛି । ସହର ଛାଡ଼ି ଫେରିଯିବା ପୂର୍ବରୁ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ରୁଷ୍ ସେନା । ବୁଚା ସହରରୁ ଏମିତି ୩ ଶହ ମୃତଦେହ ମିଳିସାରିଲାଣି । କିଛି ମୃତଦେହର ପଛରୁ ହାତ ବାନ୍ଧି ଦିଆଯାଇଥିବା ବେଳେ ମୁଣ୍ଡ ଓ ପାଟିରେ ଗୁଳି କରାଯାଇଛି ।

ରୁଷକୁ ସାରା ବିଶ୍ୱରୁ ସମାଲୋଚନା । ପୁଟିନଙ୍କ ବିରୋଧରେ ବଢ଼ୁଛି ଅନ୍ତର୍ଜାତୀୟ ଜନମତ । ବୁଚା ସହରରୁ ଏପରି ଛାତିଥରା ଦୃଶ୍ୟ ସାମ୍ନାକୁ ଆସିବା ପରେ ରୁଷକୁ ସାରା ବିଶ୍ୱରୁ ସମାଲୋଚନା କରାଯାଉଛି । ଏହାସହ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଯୁଦ୍ଧ ଅପରାଧ ମାମଲା ଚଲାଇଇବାକୁ ମଧ୍ୟ ଦାବି ତେଜିଛି । ଅବଶ୍ୟ ରୁଷ୍ ପକ୍ଷରୁ ନରସଂହାର ଅଭିଯୋଗକୁ ଖଣ୍ଡନ କରି ଦୋଷ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି, ହେଲେ ଅନ୍ତର୍ଜାତୀୟ ସମୁଦାୟ କ୍ରେମଲିନର ଏହି କଥାକୁ ବିଶ୍ୱାସ କରିପାରୁନି ।

ଏପର୍ଯ୍ୟନ୍ତ ନିରପେକ୍ଷତା ଅବଲମ୍ବନ କରିଆସିଥିବା ଭାରତ ମଧ୍ୟ କଡ଼ା ଭାଷାରେ ଏହି ନରସଂହାରକୁ ନିନ୍ଦା କରିଛି । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି ଏସ୍ ତିରୁମୂର୍ତି ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ୟୁକ୍ରେନ-ରୁଷ୍ ଯୁଦ୍ଧ ୪୨ ଦିନରେ ପହଂଚିଥିବା ବେଳେ ଯୁଦ୍ଧ କେବେ ସରିବ ଜଣାପଡ଼ୁ ନାହିଁ । ଉଭୟ ପକ୍ଷ ମଧ୍ୟରେ ବାରମ୍ବାର ବୈଠକ ତ ବସୁଛି, ହେଲେ ସମାଧାନ ବାହାରିପାରୁ ନାହିଁ । ଅନ୍ୟପଟେ ଯୁଦ୍ଧ ବନ୍ଦ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜାତିସଂଘ ନିକଟରେ ଦାବି କରିଛନ୍ତି ୟୁକେନ ରାଷ୍ଟ୍ରପତି, ନଚେତ ଜାତିସଂଘର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଛନ୍ତି ଜେଲେନସ୍କି ।