ଯୋଗାସନ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି: ବିଶ୍ୱକୁ ଦେଲେ ଆରୋଗ୍ୟ ରହିବାର ମନ୍ତ୍ର

78

କନକ ବ୍ୟୁରୋ: ଭାରତ ସମେତ ସାରା ବିଶ୍ୱ ପାଳନ କରିଛି ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ବିଶ୍ୱ ଯୋଗ ଦିବସରେ କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଯୋଗର ଧୁମ ଦେଖିବାକୁ ମିଳିଛି । ବିଶ୍ୱ ଯୋଗ ଦିବସରେ କର୍ଣ୍ଣାଟକର ମହୀଶୂର ରାଜପ୍ରାସାଦ ଗାର୍ଡେନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ପା୧୫ ହଜାର ଲୋକଙ୍କ ସହ ପାଖାପାଖି ୪୫ ମିନିଟ ଧରି ଯୋଗ କରିଥିଲେ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଏବେ ଅନ୍ତର୍ଜାତୀୟ ପର୍ବରେ ପରିଣତ ହୋଇଛି । ସେପଟେ ରାଷ୍ଟ୍ରପତି ଭବନରେ ଯୋଗସନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଅନ୍ତର୍ଜାତୀୟ ଯୋଗ ଦିବସରେ ହରିଦ୍ୱାର ପତଞ୍ଜଳି ଯୋଗପୀଠରେ ଶତାଧିକ ଲୋକଙ୍କ ସହ ଯୋଗଭ୍ୟାସ କରିଛନ୍ତି ଯୋଗ ଗୁରୁ ବାବା ରାମଦେବ । ଏହି କାର୍ଯ୍ୟକ୍ରମରେ ଛୋଟ ପିଲା ଓ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । ଭୋରରୁ ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା ଯୋଗାଭ୍ୟାସ ।

ଓଡ଼ିଶାରେ ତିନି ଜଣ କେନ୍ଦ୍ରମନ୍ତ୍ରୀ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କୋଣାର୍କରେ ଅନୁଷ୍ଠିତ ଯୋଗ ଦିବସରେ ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶହ ଶହ ଲୋକଙ୍କ ସହ କୋଣାର୍କରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୟୂରଭଂଜ ଖିଚିଂରେ ଅନୁଷ୍ଠିତ ଯୋଗ ଶିବିରରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଆୟୋଜିତ ଯୋଗ ଦିବସରେ ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ।

ପାଣି ଭିତରେ ଭାସମାନ ଅବସ୍ଥାରେ ଯୋଗାସନ କରିଛନ୍ତି ଓଡ୍ରାଫ୍ ଯବାନ । ଭୁବନେଶ୍ୱର ସେଭେନଥ ବାଟାଲିୟନରେ ଦେଖିବାକୁ ମିଳିଛି ଏପରି ନିଆରା ଯୋଗାଭ୍ୟାସ । ସେପଟେ ଭାରତ- ତିବତ୍ ସୀମାରେ ଆଇଟିବିପିର ବୀର ଯବାନମାନେ ବରଫାବୃତ ପାହାଡରେ ଯୋଗ କରିଛନ୍ତି । ଲଦାଖର ୧୭ ହଜାର ଫୁଟ ଉଚ୍ଚ ବରଫ ଉପରେ ଯୋଗ ଦିବସ ପାଳନ କରିଛନ୍ତି ଆଇଟିବିପି ଯବାନ । ସେହିପରି ଉତରାଖଣ୍ଡରେ ୧୬ ହଜାର ଫୁଟ ଉପରେ ଯୋଗ ପାଳନ କରିଛନ୍ତି ଯବାନ ।

ଯୋଗର ଉପକାରିତାକୁ ସାରା ବିଶ୍ୱ ଉପଲବ୍ଧି କରିବା ପରଠୁ ୨୦୧୫ ଜୁନ ୨୧ ତାରିଖରୁ ବିଶ୍ୱ ଯୋଗ ଦିବସ ପ୍ରତିବର୍ଷ ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ପାଳିତ ହୋଇ ଆସୁଛି । ଅନ୍ତର୍ଜାତୀୟ ଯୋଗ ଦିବସକୁ ଭବ୍ୟ କରିବା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି ।