ୱେବସିରିଜ ଗ୍ୟାଙ୍ଗସ ଅଫ୍ ପୁରୀକୁ ନେଇ ବଢ଼ୁଛି ଚର୍ଚ୍ଚା: ପୁରୀର ପାରମ୍ପରିକ ଭାଷା ଓ ଚଳଣିକୁ ନେଇ ନିର୍ମାଣ ହୋଇଛି ସିରିଜ୍

321

କନକ ବ୍ୟୁରୋ: କ୍ରାଇମ ଓ ଆକ୍ସନ ଭରା ୱେବ ସିରିଜ ‘ଗ୍ୟାଙ୍ଗସ ଅଫ ପୁରୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ୱେବସିରିଜିରେ ସଂସ୍କୃତିର ସହର ପୁରୀର ଜୀବନକୁ ଅତି ସରଳ ଓ ସୁନ୍ଦର ଢଙ୍ଗରେ ପ୍ରସ୍ତୁତ କରି ଦର୍ଶକଙ୍କ ପାଖରେ ପଂହଚାଇଛି ଓଟିଟି ପ୍ଲାଟଫର୍ମ ‘କଂଚାଲଙ୍କା” । ଏଥିରେ ପାପ-ପୁଣ୍ୟ, ଧର୍ମ-ଅଧର୍ମ ଓ ନ୍ୟାୟ-ଅନ୍ୟାୟକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଛି ପୁରା ଟିମ୍ । ନିଛକ ଓଡିଆ କାହାଣୀ ଉପରେ ଆଧାରିତ ଏହି ସିରିଜରେ କମେଡି ଓ ରୋମାନ୍ସର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀର ପାରମ୍ପାରିକ ଭାଷାକୁ ଏହି ୭ ଅଧ୍ୟାୟ ବିଶିଷ୍ଟ ୱେବ ସିରିଜରେ ଗୁରୁତ୍ୱ ଦିଆଯାଇଛି । ଯାହାକୁ ଏବେ ଅନେକ ସମାଲୋଚନା କରୁଛନ୍ତି । ୱେବ ସିରିଜରେ ପୁରୀର ସାହି ଗଳିରେ ଜନ୍ମ ନେଉଥିବା ଗ୍ୟାଙ୍ଗଷ୍ଟରଙ୍କ ଜୀବନଯାତ୍ରାକୁ ଅତି ନିଖୁଣଭାବେ ଦେଖାଯାଇଛି । ପୁରୀ ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ବସ୍ତି ଉପରେ ବଙ୍ଗାଳୀ ହୋଟେଲ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟିରୁ ଆରମ୍ଭ ହେଇଛି କାହାଣୀ । ଏଠାରେ ସେ ହୋଟେଲ କରିବାକୁ ଆରମ୍ଭ କରନ୍ତି ଚକ୍ରାନ୍ତ । ଏହି ବ୍ୟବସାୟୀଙ୍କୁ ସାଥ ଦିଅନ୍ତି ଜଣେ ରାଜନେତା । ଆଉ ଗ୍ୟାଙ୍ଗଷ୍ଟରଙ୍କୁ ବ୍ୟବହାର କରି ଏହାକୁ ରୂପ ଦେବାକୁ ଉଦ୍ୟମ କରନ୍ତି । ଆଉ ଏହାକୁ ନେଇ ଆରମ୍ଭ ହୁଏ ପୁରୀରେ ଗ୍ୟାଙ୍ଗ ୱର ।

କାହାଣୀକୁ ବାସ୍ତବବାଦୀ କରିବାକୁ ପୁରୀ, କଟକ ଓ ଭୁବନେଶ୍ୱରରେ ସୁଟିଂ କରାଯାଇଛି ପୁରା ସିରିଜ । ସଂପୂର୍ଣ୍ଣ ସିରିଜ ପ୍ରସ୍ତୁତ ହେବାରେ ପାଖାପାଖି ଦୁଇବର୍ଷ ଲାଗିଯାଇଛି । ଓଟିଟି ପ୍ଲାଟଫର୍ମରେ ଗ୍ୟାଙ୍ଗସ ଅଫ ପୁରୀକୁ ଏବେ ଅନେକ ଦର୍ଶକ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।