ବିଜୁ ଜୟନ୍ତୀରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି: ପୋଲସରାରେ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତିରେ କ୍ଷୀର ଢାଳି ଆର୍ଶିବାଦ ମାଗିଲେ ବିଜେଡି କର୍ମୀ

67

କନକ ବ୍ୟୁରୋ: ସାରା ରାଜ୍ୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତି ପାଳନ କରାଯାଇଛି । ବିଜୁଙ୍କ ସ୍ମୃତି ଚାରଣ ପାଇଁ କେଉଁଠି ସାଇକେଲ ରାଲି ତ ଆଉ କେଉଁଠି ପ୍ରତିମୂର୍ତିରେ କ୍ଷୀର ଢାଳି କରାଯାଇଛି ସ୍ନାନ । ଏତିକି ବେଳେ ପୁଣି ଥରେ ଉଠିଛି ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ ଦାବି ।

ଆଧୁନିକ ଓଡିଶାର ନିର୍ମାତା, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀରେ ପ୍ରବାଦପୁରୁଷଙ୍କୁ ଇଏ ହେଉଛି ସାରା ରାଜ୍ୟର ଶ୍ରଦ୍ଧାଞ୍ଜଳି । ଜୟନ୍ତୀରେ ଆଧୁନିକ ଓଡିଶାର ବିନ୍ଧାଣୀଙ୍କୁ ମନେ ପକାଇଛନ୍ତି ସମାଜର ସବୁ ବର୍ଗର ଲୋକେ । ବିଜୁ ପଟ୍ଟନାୟକଙ୍କୁ ଫରେଷ୍ଟ ପାର୍କରେ ପହଁଚି ଶ୍ରଦ୍ଧାଂଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖଭବନରେ ମଧ୍ୟ ପ୍ରବାଦ ପୁରୁଷଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ହୋଇଛି । ରାଜଧାନୀରେ ବି ସାଇକେଲ ରାଲି ବାହାରିଛି । ବିଜୁ ପଟ୍ଟନାୟକ ଥିଲେ ଓଡିଶାର ଗର୍ବ ଓ ଗୌରବ । ଆଉ ଜୟନ୍ତୀରେ ବିଜୁ ବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି କରିଛନ୍ତି ବିଜେଡି ନେତା ।

ବିଜୁ ପଟ୍ଟନାୟକଙ୍କୁ ମନେପକାଇ ଓଡିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ୱିତ କରିବା ନୂଆ ଓଡିଶାର ସଂକଳ୍ପକୁ ଆହୁରି ଦୃଢ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୋଲସରାରେ ବିଜୁ ବାବୁଙ୍କୁ କରାଯାଇଛି କ୍ଷୀର ସ୍ନାନ । ବିଜେଡିର ଶତାଧିକ ମହିଳା ସମର୍ଥକ ପୋଲସରା ମୁଖ୍ୟ ବଜାରରେ ବିଜୁଙ୍କ ପ୍ରତିମୂର୍ତିରେ କ୍ଷୀର ଢାଳି ଆଗାମୀ ନିର୍ବାଚନ ପାଇଁ ଆଶୀର୍ବାଦ ଲୋଡିଛନ୍ତି ।

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ୍ କରି ପ୍ରବାଦ ପୁରୁଷଙ୍କ ଅବଦାନକୁ ମନେ ପକାଇଛନ୍ତି । ଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରେ ପାଳିତ ହୋଇଛି । ବିଜୁ ବାବୁଙ୍କ ସ୍ମୃତିରେ ତାଙ୍କର ଅନେକ ପୁରୁଣା ଫଟୋକୁ ନେଇ ପ୍ରଦର୍ଶନୀ କରାଯାଇଛି । ଯେଉଁଥିରେ ତାଙ୍କର ଅନେକ କାର୍ଯ୍ୟଧାରା ଓ ବିରଳ ମୁହୁର୍ତର ଫଟୋ ସବୁ ସ୍ଥାନ ପାଇଛି ।