ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ବିଧାନସଭା ଆସନ ପାଇଁ ଟିକେଟ ଲବି । ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କ ଶକ୍ତି ପ୍ରଦର୍ଶନ

ସମର୍ଥକଙ୍କ ସହ ଯାଇ ନବୀନ ନିବାସରେ ଦେଲେ ବାୟୋଡାଟା

278

କନକ ବ୍ୟୁରୋ: ଟିକେଟକୁ ନେଇ ରାଜଧାନୀରେ ବିଜେଡିର ନେତା-ନେତାଙ୍କ ଭିତରେ ଚାଲିଛି ଶକ୍ତି ପ୍ରଦର୍ଶନ । ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରେ ଅନେକ ଆଶାୟୀ ଖୋଲାଖୋଲି ଟିକେଟ କଥା କହି ବର୍ତ୍ତମାନ ବିଧାୟକଙ୍କ ପାଇଁ ମୁଣ୍ଡବ୍ୟଥା ସାଜିଲେଣି । କିଏ କେଉଁଠି ଶକ୍ତି ପ୍ରଦର୍ଶନ କରୁଛି ତ କିଏ ବନ୍ଧୁମିଳନ ଆଳରେ ସମାବେଶ କରୁଛନ୍ତି । ଆଉ ଆଜି ଦୁଇ ଭୁବନେଶ୍ୱରିଆ ନେତା ଅମରେଶ ଜେନା ଓରଫ ବାଇଁଆ ଏବଂ ବିରଞ୍ଚି ମହାସୁପକାର ଓରଫ ଲିଟୁ ନବୀନ ନିବାସ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ଦୁଇ ନେତା ଟିକେଟ ପାଇଁ ବାୟୋଡାଟା ନେଇ ନବୀନ ନିବାସକୁ ଯାଇଥିଲେ ।

ଅନନ୍ତ ଜେନାଙ୍କୁ କାଉଣ୍ଟର କରିବାକୁ ମଧ୍ୟ-ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ରବିବାର ଶକ୍ତି ପ୍ରଦର୍ଶନ କରିଛନ୍ତି ଅମରେଶ ଜେନା ଓରଫ ବାଇଁଆ । ଆଉ ଅନ୍ୟପଟେ ଏକାମ୍ରରେ ଅଶୋକ ପଣ୍ଡାଙ୍କୁ ମାତ୍ ଦେବାକୁ ସଙ୍ଗଠନ କରୁଛନ୍ତି ବିରଞ୍ଚି ମହାସୁପକାର ଓରଫ ଲିଟୁ । ଉଭୟ ଦଳର ସୁପ୍ରିମୋଙ୍କ ବ୍ୟାନର ଥାଇ ସମାବେଶ କରିଛନ୍ତି । ଭୁବନେଶ୍ୱର ୪୫ ନମ୍ବର ୱାର୍ଡର କର୍ପୋରେଟର ଅଛନ୍ତି ଓ ମଧ୍ୟ-ଭୁବନେଶ୍ୱର ପାଇଁ ଆଶାୟୀ ଅଛନ୍ତି । ସେହିଭଳି ଏକାମ୍ରରେ ଆଶାୟୀ ଥାଇ ସଙ୍ଗଠନ ଚଳାଇଛନ୍ତି ବିରଞ୍ଚି ମହାସୁପକାର ।

ସେପଟେ ବିଧାନସଭା ପାଇଁ ଟିକେଟ ଲବି ଜୋର ଧରିଥିବାବେଳେ ଲୋକସଭା ଆସନ ପାଇଁ ପୂର୍ବତନ ମେୟର ମିହିର ମହାନ୍ତି ବାୟୋଡାଟା ଦେଇଛନ୍ତି । ତେବେ ଭୁବନେଶ୍ୱରର ୪ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଜେଡି ଟିକେଟ ଉପରେ ସମସ୍ତଙ୍କ ନଜର ରହିଛି ।