ନିଶାରେ ବୁଡୁଛି ଭୁବନେଶ୍ୱର, ଦେଶର ତୃତୀୟ ସର୍ବାଧିକ ନିଶାଡ଼ିଙ୍କ ସହର । ରାଜ୍ୟ ରାଜଧାନୀରେ ୩୭% ଯୁବପିଢ଼ି ନେଉଛନ୍ତି ନିଶା ।

ପ୍ରଥମରେ ବେଙ୍ଗଳୁରୁ, ଦ୍ୱିତୀୟରେ ଚେନ୍ନାଇ

146

କନକ ବ୍ୟୁରୋ: ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ । ନିଶାରେ ଝୁମୁଛନ୍ତି ରାଜଧାନୀର ଯୁବପିଢ଼ି । ମଦ, ଗଞ୍ଜେଇ ଓ ତମାଖୁ ସେବନ ବଢୁଛି । ଭୁବନେଶ୍ୱରର ୩୭ ପ୍ରତିଶତ ଯୁବପିଢ଼ି ନିଶା କବଳରେ । କେମ୍ବ୍ରିଜ ପ୍ରିଜିମସ ଗ୍ଲୋବାଲ ମେଣ୍ଟାଲ ହେଲ୍ଥ ରିପୋର୍ଟରେ ସାମ୍ନାକୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ।

ରାଜଧାନୀ ଭୁବନେଶ୍ୱର, ସବୁବେଳେ ବ୍ୟସ୍ତବହୁଳ । କିଏ ଚାକିରି ସନ୍ଧାନରେ ଏଠାକୁ ଆସୁଛି ତ ଆଉ କିଏ ଆସୁଛି ନିଜ ଭବିଷ୍ୟତ ଗଢିବା ପାଇଁ । କିନ୍ତୁ ସହରର ଚାକଚକ୍ୟ ଭିତରେ ନିଶାର ମାୟାଜାଲରେ ଫସିଯାଉଛନ୍ତି ଅନେକ । ପିଲାଠୁ ବୟସ୍କ ଏବେ ନିଶା କବଳରେ । କେମ୍ବ୍ରିଜ ପ୍ରିଜିମ୍ସର ଗ୍ଲୋବାଲ ମେଣ୍ଟାଲ ହେଲଥ ରିପୋର୍ଟ ଅନୁସାରେ ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ ସ୍ଥାନରେ ରହିଛି । ୨୦୨୨ ମାର୍ଚ୍ଚରୁ ଅକ୍ଟୋବର ଭିତରେ ୧୫ ରାଜ୍ୟର ୧ ହଜାର ୬୩୦ ଯୁବତ, ଯୁବତୀଙ୍କ ସହ ହୋଇଥିଲା ସାକ୍ଷାତକାର । ସେଥିରୁ ମିଳିଥିବା ତଥ୍ୟ ସ୍ପଷ୍ଟ କରୁଛି ଯେ, ଭୁବନେଶ୍ୱରରେ ବଢୁଛି ନିଶା ସେବନ ।

ସର୍ଭେ ରିପୋର୍ଟ

  • ରାଜଧାନୀର ୩୭% ଯୁବପୀଢ଼ି ନିଶା ସେବନ କରୁଛନ୍ତି
  • ମଦ, ଗଞ୍ଜେଇ, ତମାଖୁ ଓ ଅନ୍ୟାନ୍ୟ ନିଶା ସେବନ କରୁଛନ୍ତିି
  • ନିଶା ସେବନ ତାଲିକାର ପ୍ରଥମରେ ବେଙ୍ଗଳୁରୁ
  • ବେଙ୍ଗଳୁରୁରେ ୫୪.୫% ଯୁବପୀଢି଼ କରୁଛନ୍ତି ନିଶା ସେବନ
  • ତାଲିକାର ଦ୍ୱିତୀୟରେ ଚେନ୍ନାଇ, ତୃତୀୟରେ ଭୁବନେଶ୍ୱର
  • ନିଶା ସେବନ କରିବାର ହାରାହାରି ବୟସ ୧୭ ବର୍ଷ

ନିଶା ସେବନ କେମିତି ପରିବାର ଉଜାଡି ଦେଇଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଚନ୍ଦ୍ରଶେଖରପୁରର ମଣ୍ଡପ ବସ୍ତିରେ । ବସ୍ତିରେ ରହୁଥିବା ଅଧିକାଂଶ ଲୋକ ମଦ ପିଅନ୍ତି । ଅତ୍ୟଧିକ ମଦ ପିଇବା ଫଳରେ କିଛିବର୍ଷ ତଳେ ଜାନକୀଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା । ବାପା-ମା ଉଭୟ ମଦ ପିଉଥିବାରୁ ପିଲାମାନଙ୍କ ଉପରେ ବି ପଡିଲା ପ୍ରଭାବ । ପରିସ୍ଥିତି ଏଭଳି ହେଲା ଯେ, ମାତ୍ର ୧୨-୧୩ ବର୍ଷର ପୁଅ ଏବେ ନିଶାରେ ବୁଡି ରହୁଛି । ଏହି ବସ୍ତିର ଶଙ୍କରଙ୍କ ସହ ଆମର ଭେଟ ହୋଇଥିଲା । ସାଙ୍ଗ ସାଥୀଙ୍କ ସହ ମିଳିମିଶି ସେ ବି ମଦ ପିଅନ୍ତି । ଗତ କିଛି ଦିନ ତଳେ ଆଖି ସାମ୍ନାରେ ୧୬ ବର୍ଷର ଭଣଜାକୁ ହରାଇଛନ୍ତି । ମଦ ପିଇ ଅସୁସ୍ଥ ହେବା ପରେ ତାଙ୍କର ଜୀବନ ଚାଲିଯାଇଥିବା ଶଙ୍କର କହିଛନ୍ତି ।

ସହରରେ ଡ୍ରଗ୍ସର କାରବାର ବଢୁଥିବାବେଳେ ଡ୍ରଗ୍ସ ମାଫିଆ ଅନେକ ବସ୍ତିରେ ନିଜର ର୍ୟାକେଟ ଜମାଇଥିବା ଜଣାପଡିଛି । ବସ୍ତିର ଛୋଟ ଛୋଟ ପିଲାଙ୍କୁ ଡ୍ରଗ୍ସ ନେବା ଆଣିବାରେ ବ୍ୟବହାର କରାଯାଉଥିବା କହିଛନ୍ତି ସାମାଜିକ କର୍ମୀ । ନିଶା କାରବାର ରୋକିବା ଦିଗରେ କୌଣସି ପଦ କ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି । ତେବେ ଭୁବନେଶ୍ୱରରେ ଅତି ସହଜରେ ତମାଖୁ ଓ ମଦ ଉପଲବ୍ଧ ହେଉଥିବାରୁ ନିଶା ସେବନ ବଢୁଥିବା କହିଛନ୍ତି ବିଶେଷଜ୍ଞ ।