ନିଶା ନିବାରଣ କେନ୍ଦ୍ରର ମାଲିକଙ୍କୁ ଉଠାଇନେଲା ପୋଲିସ: ଅନ୍ତେବାସୀଙ୍କୁ ପାଦ ଚଟାଇବାର ଭିଡିଓ ହୋଇଥିଲା ଭାଇରାଲ

341

କନକ ବ୍ୟୁରୋ: ନିଶା ନିବାରଣ କେନ୍ଦ୍ରର ମାଲିକ ଅଟକ । ଅବନୀ ପତିଙ୍କୁ ପଚରାଉଚରା କରୁଛି ପୋଲିସ । ନିଶାନିବାରଣ କେନ୍ଦ୍ର ଅନ୍ତେବାସୀଙ୍କୁ ପାଦ ଚଟାଇଥିଲେ ଅବନୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ପ୍ଲାଷ୍ଟିକ ପାଇପରେ ମାଡ ମାରିଥିଲେ ଅବନି ପତି । ଅନ୍ତେବାସୀଙ୍କୁ ପାଦ ଚଟାଇଥିଲେ ଅବନୀଙ୍କ ସହଯୋଗୀ । ଭିଡିଓ ଭାଇରାଲ ହେବା ପରେ ପୋଲିସର ତତ୍ପରତା । ବାରିପତା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଭିଡିଓ ଭାଇରାଲ ହୋଇଥିଲା ।

ଜଣେ ଦିବ୍ୟାଙ୍ଗଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ଖୋଦ୍ ନିଶାନିବାରଣ କେନ୍ଦ୍ର ମାଲିକ ନିଶାରେ ଚୁର ହୋଇ ଦିବ୍ୟାଙ୍ଗଙ୍କୁ ମାଡ଼ ମାରଛନ୍ତି । ହାତରେ ପ୍ଲାଷ୍ଟିକ ପାଇପ୍ ଧରି ମାଡ ମାରୁଥିବା ବେଳେ ସହଯୋଗୀଙ୍କ ପାଦ ଚଟାଉଥିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ବାରିପଦା ସହର ତୁଳସୀଚଉରା ଅଞ୍ଚଳରେ ଥିବା ପ୍ରତିଜ୍ଞା ନିଶାନିବାରଣ କେନ୍ଦ୍ରରେ ଏହିି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି କାଲି ଯୁବ ପୀଢିଙ୍କ ମଧ୍ୟରେ ନିଶା ସେବନ ବୃଦ୍ଧି ପାଉଥିବା ବେଳେ ନିଶା ନିବାରଣ କେନ୍ଦ୍ରରେ ଅଛି ନିଦାନ । ନିଶାରୁ ମୁକ୍ତି ପାଇଁ ନିଶାନିବାରଣ କେନ୍ଦ୍ରକୁ ବିଭିନ୍ନ ସ୍ଥାନରୁ ଆସନ୍ତି ଲୋକେ । ନିଶାଖୋର ମାନଙ୍କ ନିଶା ଛଡାଇବା ସହିତ ନିଶାମୁକ୍ତ କରି ସମାଜର ମୁଖ୍ୟ ସ୍ରୋତକୁ ସେମାନଙ୍କୁ ଫେରାଇ ଆଣିବାକୁ ନିଆଯାଏ ସମସ୍ତ ପ୍ରକାରର ଯତ୍ନ ।

ନିଶା ମୁକ୍ତି ପାଇଁ ପ୍ରଚୁର ଅର୍ଥ ମଧ୍ୟ ବ୍ୟୟ କରାଯାଉଛି । କିଛି ପରିବାର ବର୍ଷ ବର୍ଷ ଧରି ଅର୍ଥ ବ୍ୟୟ କରିଥାନ୍ତି ନିଶାରୁ ମୁକ୍ତି ପାଇଁ । ହେଲେ ଏଠାରେ ସବୁକିଛି ଓଲଟା ଦେଖିବାକୁ ମିଳିଛି । ନିଜେ ମାଲିକ ଅବନୀ ପତି ନିଶାଗ୍ରସ୍ତ ହୋଇ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀକୁ ଏଭଳି ଅମାନୁ୍ଷିକ ନିର୍ଯାତନା ବେଶ୍ ନିନ୍ଦନୀୟ ଘଟଣା । ତେବେ ଏହି ନିଶାନିବାରଣ କେନ୍ଦ୍ରର ନାଁରେ ପୂର୍ବରୁ ବହୁ ଅଭିଯୋଗ ଥିବା ବେଳେ ହତ୍ୟାକାଣ୍ଡ ଭଳି ଗୁରୁତର ଅଭିଯାଗ ମଧ୍ୟ ରହିଛି । ବିଭିନ୍ନ ନିଶାନିବାରଣ କେନ୍ଦ୍ରରେ ପୀଡିତ ମାନଙ୍କୁ ଶୋଷଣ କରିବା ସହିତ ଅକଥନୀୟ ନିର୍ଯାତନା ବି ଦିଆଯିବାର ନଜିର ରହିଛି । ଏନେଇ ଥାନାରେ ଏତଲା ବି ଦିଆଯାଉଛି । ହେଲେ ନା ଏହି ଘଟଣାରେ କିଛି ପଦକ୍ଷେପ ନିଆଯାଉଛି ନା ଘଟଣା ପ୍ରତିଥର ଘଟୁଥିଲେ ବି କିଛି ଅଙ୍କୁଶ ଲଗାଯାଉଛି । ନିଶାଶକ୍ତ ଆତ୍ମୀୟଙ୍କ ପାଇଁ ପରିବାର ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି । ଭିଡ଼ିଓ ସାମ୍ନାକୁ ଆସିବା ପରେ ବିତଣ୍ଡା ଯୁକ୍ତି କରୁଛନ୍ତି ମାଲିକ ଅବନି ପତି ।