ବାବାଙ୍କୁ ଠକିଲା ଜମି ଦଲାଲ । ଭୁବନେଶ୍ୱରରେ ଟଙ୍କା ନେଇ ଜମି ଦେଇ ନଥିବା ଅଭିଯୋଗ ଆଣିଲେ ନୟାଗଡ ମାଧପୁରର ଧୀରେନ୍ଦ୍ର ମିଶ୍ର ।

158

କନକ ବ୍ୟୁରୋ: ଜମି ଦେବାକୁ କହି ୧୦ ଲକ୍ଷ ଠକେଇ । ରାଜଧାନୀବାସୀଙ୍କ ପାଇଁ ଏ କଥା ଦେହସୁହା ହୋଇଗଲାଣି । କିନ୍ତୁ ଜଣେ ସାଧୁଙ୍କୁ ବି ଠକିବାକୁ ପଛାଇନାହାନ୍ତି ଜମି ଦଲାଲ । ଯାହାଫଳରେ ନିଜକ କଷ୍ଟଅର୍ଜିତ ଟଙ୍କା ଫେରିପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂପୃକ୍ତ ବାବା ।

  • ବାବାଙ୍କୁ ଠକିଦେଲା ଜମି ଦଲାଲ
  • ଟଙ୍କା ନେଲା, ଜମି ଦେଲାନି

ନୟାଗଡ ମାଧପୁର ଗାଁର ଧୀରେନ୍ଦ୍ର ମିଶ୍ର । ହାତରେ ଜପାମାଳି ଓ ଦେହରେ ଗେରୁଆ ବସ୍ତ୍ର । ଗାଁରେ ପୈତୃକ ସମ୍ପତ୍ତି ବିକି ରାଜଧାନୀ ଆସିଥିଲେ ଆଶ୍ରମ କରିବାକୁ । ଆଶ୍ରମ ତ ହେଲାନି ହେଲେ ଜମି ଦଲାଲ ନେଇଗଲେ ଟଙ୍କା । ଏୟାରଫିଲ୍ଡ ଥାନା ବୋତଣ୍ଡା ମୌଜାରେ ଜମିଟିଏ ପସନ୍ଦ ହେବା ପରେ ସାଧୁଙ୍କ ସଂସ୍ପର୍ଶରେ ଆସିଥିଲେ ବିରବନ୍ଧ ଗାଁର ବିଶ୍ୱନାଥ ବାରିକ । ଡିଲ୍ ଅନୁୟାୟୀ ବିଶ୍ୱନାଥଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ଧୀରେନ୍ଦ୍ର ମିଶ୍ର । କିନ୍ତୁ ଟଙ୍କା ନେଇ ଜମି ଦଲାଲ ଛୁ ମାରିଛନ୍ତି । ତାଙ୍କ ସହିତ କୌଣସି ସମ୍ପର୍କ ବି ହୋଇପାରୁନାହିଁ । ବାଧ୍ୟ ହୋଇ ଧୀରେନ୍ଦ୍ର ନ୍ୟାୟ ପାଇଁ ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

  • ଟଙ୍କା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ
  • ୧୦ ଲକ୍ଷ ବଦଳରେ ଅଛି ମାତ୍ର ଲକ୍ଷେ

ଏବେ ଜମି ଠକେଇର ଛାନଭିନ ଆରମ୍ଭ ହୋଇଛି । ଜମିର ପ୍ରକୃତ ମାଲିକ ବି ସାଧୁଙ୍କୁ ନ୍ୟାୟ ଦେବାକୁ ଥାନା ଅଧିକାରୀଙ୍କୁ ଭେଟିଛନ୍ତି । ଆକାଉଣ୍ଟ ଡିଟେଲସ, ବ୍ୟାଙ୍କ ସିସିଟଭି ଓ ଏତଲା ଆଧାରରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଉଠାଇ ଆଣିଛି ପୁଲିସ । କାରବାର ହୋଇଥିବା ବ୍ୟାଙ୍କ ଖାତାକୁ ଫ୍ରିଜ କରିଛି ପୁଲିସ । ସେଥିରେ କିନ୍ତୁ ୧୦ ଲକ୍ଷ ବଦଳରେ ମାତ୍ର ଲକ୍ଷେ ଟଙ୍କା ଅଛି । ତେବେ ବର୍ତ୍ତମାନ ଜମି ଠକେଇ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।