ଏଣିକି ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କର୍ମୀ। ସ୍ୱାସ୍ଥ୍ୟ ସେବାରେ ଲାଗିଲା ‘ଏସମା’

797

କନକ ବ୍ୟୁରୋ: ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାରେ ଏସମା ବା ଅତ୍ୟାବଶ୍ୟକ ସେବା ଆଇନ ଲାଗୁଛନ୍ତି । ଏହି ସମୟରେ ନର୍ସ, ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଉପରେ ଲାଗିଛି ରୋକ୍ । ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀଙ୍କ ଏହି କାମଛାଡ ଆନ୍ଦୋଳନକୁ ବାରଣ କରାଯାଇିଛି । ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆଗାମୀ ୬ମାସ ଯାଏ ଏସମା ବଳବତ୍ତର ରହିବ । ଫଳରେ ଆନ୍ଦୋଳନ କରିପାରିବେ ନାହିଁ ସ୍ୱାସ୍ଥ୍ୟକର୍ମୀ । ଜରୁରୀ ସେବା ଆଇନ୍ ୧୯୮୮ ଆଧାରରେ ଏହି କଟକଣା ଲଗାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା ଉପରେ ସରକାର ରୋକ ଲଗାଇବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପାଖରେ ଫେରାଦ ହୋଇଥି ଓଡିଶା ଫାର୍ମାସିଷ୍ଟ ସଂଘ । ୧୨ଦଫା ଦାବି ନେଇ ସଂଘ ଧାରଣା ଦେବାକୁ କହିଥିଲା । କିନ୍ତୁ ସରକାର ଭୟକରି ଛୁଟି ଦିନରେ ନିର୍ଦ୍ଦେଶ ହେଲ ବୋଲି କହିିଛି ସଂଘ ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହି ଏସମା ଲାଗୁ କରିଛି । ସମସ୍ତ ସରକାରୀ ହସପିଟାଲର ନର୍ସ, ଫାର୍ମାସିଷ୍ଟଙ୍କଠାରୁ ଆରମ୍ଭ କରି ପାରାମେଡିକୋ, ଟେକ୍ନିସିଆନ, ତୃତୀୟ ଓ ଚତୁର୍ଥ ଗ୍ରେଡ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ । ତେବେ ଏହାକୁ ନେଇ ବିଭିନ୍ନ ସଂଘ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସରକାର ପ୍ରଥମେ ଦାବି ପୂରଣ କରନ୍ତୁ ଓ ଏସମା ଲାଗୁ କରନ୍ତୁ ବୋଲି କହିଛନ୍ତି ବିଭିନ୍ନ ସଂଘ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଛି । ଆଉ ଏଭଳି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଲେ କିମ୍ବା ଧର୍ମଘଟ କଲେ ଏହା ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏସମା ଲାଗୁ ହୋଇଥିବା ଚର୍ଚ୍ଚା ହେଉଛି ।