ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରସଙ୍ଗ। ପ୍ରଶ୍ନ ଉଠାଇ ଫଶିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

1,726

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ଏବେ ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜରାଟ କୋର୍ଟ କେଜ୍ରିୱାଲଙ୍କୁ ସମନ ପଠାଇ ହାଜର ହେବାକୁ କହିଛନ୍ତି । ମେ ୨୩ରେ ଉଭୟ ଅରବିନ୍ଦ କେଜ୍ରିୱାଲ ଓ ଦଳର ସାଂସଦ ସଂଜୟ ସିଂଙ୍କୁ ହାଜର ହେବା ପାଇଁ ସମନରେ କୁହାଯାଇଛି । ଗୁଜରାଟ ବିଶ୍ୱବିଦ୍ୟାଳୟର ଆବେଦନ ଉପରେ ଶୁଣାଣୀ କରି କୋର୍ଟ ଏହି ସମନ ପଠାଇଥିବା ଜଣାପଡିିଛି । ବିଶ୍ୱବିଦ୍ୟାଳୟ ଅଭିଯୋଗ କରିଛି କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବା ଆଳରେ କେଜ୍ରିୱାଲ ଓ ସଂଜୟ ସିଂ ବିଶ୍ୱବିଦ୍ୟାଳୟ ବିରୋଧରେ ଆପତିଜନକ ଟିପ୍ପଣୀ ଦେଇଛନ୍ତି ।

ଗୋଟେପଟେ ଡିଗ୍ରୀ ବିବାଦ ସେପଟେ ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମରେ ଫଶିଛନ୍ତି କେଜ୍ରିୱାଲ । ରବିବାର ସିବିଆଇ କେଜ୍ରିୱାଲଙ୍କୁ ୯ ଘଂଟା ଜେରା କର ୫୬ଟି ପ୍ରଶ୍ନ ପଚାରିଛି । ସୂଚନା ଅନୁସାରେ ମାମଲାର ଜଣେ ସାକ୍ଷୀଭାବେ ଜେରା କରିଛି ସିବିଆଇ । ସବୁ ପଛରେ ବିଜେପି ଚାଲ ଥିବା କହି ତଦନ୍ତାକାରୀ ସଂସ୍ଥା ଉପରେ ବର୍ଷିଥିଲେ କେଜ୍ରିୱାଲ ଆଉ କହିଥିଲେ ବିଳମ୍ବ ହେଉ ପଛେ କିନ୍ତୁ ସତ୍ୟର ହେବ ଜୟ ।

ଗୋଟେ ପଟେ ଦିଲ୍ଲୀ ଏକ୍ସସାଇଜ ସ୍ମାମକୁ ନେଇ ଜେରା ପରେ ଜେରା ଅନ୍ୟପଟେ ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ କୋର୍ଟଙ୍କ ସମନ ପାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏଥିସହ ତାଙ୍କର ସମସ୍ୟା ବଢିଚାଲିଛି । ପୂର୍ବରୁ କେଜ୍ରିୱାଲଙ୍କ ଏକ ପିଟିସନକୁ ଖାରଜ କରିବା ସହ ୨୫ହଜାର ଟଙ୍କାର ଜରିମାନା ଲଗାଇଥିଲେ କୋର୍ଟ । ସେପଟେ ଦିଲ୍ଳୀରେ ପ୍ରଦେଶ ବିଜେପି ଆପ ବିରୋଧରେ ଜୋରଦାର ହଙ୍ଗାମା କରିଛି । କେଜ୍ରିୱାଲଙ୍କୁ ମାମଲାର ମାଷ୍ଟରମାଇଣ୍ଡ କହି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନ କରିଛି ପ୍ରଦେଶ ବିଜେପି ।