ରାସ୍ତାକାମ କରିଥିବା ଏଲ-ଆଣ୍ଡ-ଟି କମ୍ପାନୀକୁ ୨୦ କୋଟି ଦେଲେନି ସରକାର: ସୁଧ ମୂଳ ମିଶି ହେଲା ୧୨୦ କୋଟି

682

କନକ ବ୍ୟୁରୋ: ଖିଲାପକାରୀ ବ୍ୟକ୍ତି ବା ସଂସ୍ଥାମାନଙ୍କର ସମ୍ପତ୍ତି ଜବତ ହେବା ନୂଆ କଥା ନୁହେଁ । ହେଲେ ଖୋଦ୍ ସରକାର ବକେୟା ଦେୟ ଦେଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ସରକାରଙ୍କ ସମ୍ପତ୍ତି ଜବତ କରାଯାଇଛି । ଭୁବନେଶ୍ୱର ପୂର୍ତ ବିଭାଗର ନିର୍ମାଣ ସୌଧରେ ଥିବା ରାସ୍ତା ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏସି, ଟେବୁଲ, ଆଲମିରା ଓ କମ୍ପ୍ୟୁଟରକୁ ଜବତ କରି ଗୁରୁବାର ରାତିରେ ଉଠାଇ ନିଆଯାଇଛି ।

ଭୁବନେଶ୍ୱର ନିର୍ମାଣ ସୌଧର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅଫିସରେ ଥିବା ପୁରୁଣା ଏସି, ଟେବୁଲ, ଆଲମିରା ଓ କମ୍ପ୍ୟୁଟର ଜବତ କରାଯାଉଛି । ଭୁବନେଶ୍ୱର ସିଭିଲ ଜଜ୍ ସିନିଅର ଡିଭିଜନ୍ କମର୍ସିଆଲ କୋର୍ଟଙ୍କ ନିର୍ଦ୍ଦେଶ ମତେ ଆସବାବପତ୍ର ଜବତ ପରେ ଟ୍ରକରେ ବୋହି ନିଆଯାଉଛି । ଏଥିରେ ଅଛି ୯ଟି ଏସି, ୧୮ଟି କମ୍ପ୍ୟୁଟର, ୯ଟି ଟେବୁଲ ଓ ୧୫ଟି ଆଲମିରା । କାହିଁକି ସରକାରୀ ଦପ୍ତରରୁ ଏହି ସବୁ ସାମଗ୍ରୀ ଜବତ କରାଯାଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୂରା ଘଟଣା ଉପରେ ନଜର ପକାଇବା । ସମ୍ବଲପୁରରୁ- ରାଉରକେଲା ପର୍ଯ୍ୟନ୍ତ ପ୍ରାୟ ୧୬୫ କିମି ରାସ୍ତା କାମ କରିଥିଲା ଏଲ ଆଣ୍ଡ ଟି କମ୍ପାନୀ । ତାର ପ୍ରାପ୍ୟ ଦିଅନଯିବାରୁ କମ୍ପାନୀ ସିଭିଲ୍ କୋର୍ଟ ଯାଇଥିଲା । ଶେଷରେ ୨୦୦୪ରେ ଏକ ବୁଝାମଣା ହେଲା । ପୂର୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ୨୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ ଆର୍ବିଟ୍ରେସନ୍ କୋର୍ଟ । ହେଲେ ପରେ ସରକାର ଏହାକୁ ଚ୍ୟାଲେଂଜ କଲେ । ଜିଲ୍ଲା କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ସରକାର ସବୁଠି ହାରିଲେ । ଏମିତି କି ସୁପ୍ରିମକୋର୍ଟରେ ସରକାରଙ୍କ ରିଭ୍ୟୁ ପିଟିସନ୍ ବି ଖାରଜ ହୋଇଗଲା । ଆଉ ୟା ଭିତରେ ଏଲ ଆଣ୍ଡ୍ ଟିର ବକେୟା ପ୍ରାପ୍ୟ ୨୦ କୋଟିରୁ ସୁଧମୂଳ ମିଶାଇ ୧୨୦ କୋଟିରେ ପହଁଚିଗଲା ।

ପ୍ରଶ୍ନ ଉଠୁଛି, କୋର୍ଟଙ୍କ ନିର୍ଦ୍ଦେଶକୁ ସରକାରରେ ଥିବା ପଦାଧିକାରୀମାନେ ବାରମ୍ବାର ଫାଙ୍କି ଚାଲିଥିଲେ କାହିଁକି? କାହାର ତ୍ରୁଟି ଯୋଗୁଁ ବକେୟା ରାଶି ୨୦ କୋଟିରୁ ୧୨୦ କୋଟି ଟଙ୍କା ହୋଇଗଲା? ଏବେ ଏହା ଲୋକଙ୍କ ଟିକସରୁ ଭରଣା ହେବ ନା ଦାୟୀ ଅଧିକାରୀଙ୍କ ଠାରୁ କରାଯିବ ଜବତ?