ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ: ଭୁବନେଶ୍ୱର ଜୋନରେ ଦଶମର ୯୬.୪୬% ପାସ୍

132

କନକ ବ୍ୟୁରୋ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।ରେଜଲ୍ଟ ଆସିବା ପରେ କୃତୀ ଛାତ୍ରଛାତ୍ରୀ ମିଠା ବାଂଟି ଖୁସି ମନେଇଛନ୍ତି । ପୂର୍ବଥର ଭଳି ଏଥର ମଧ୍ୟ ଛାତ୍ରଙ୍କୁ ଟପି ଯାଇଛନ୍ତି ଛାତ୍ରୀ । ଦଶମରେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ ହାର ୧ ଦଶମିକ ୪୧ ପ୍ରତିଶତ ଅଧିକ ରହିଛି । ପରୀକ୍ଷା ଫଳ ପ୍ରକାଶ ହେବାର କିଛି ସମୟ ପରେ ସିବିଏସଇ ବୋର୍ଡର ୱେବସାଇଟ୍ ସିବିଏସଇରେଜଲ୍ଟ ଡଟ୍ ଏନଆଇସି ଡଟ୍ ଇନ, ସିବିଏସଇ ଡଟ ଗଭ ଡଟ୍ ଇନରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ଦଶମରେ ମୋଟ ୯୪ ଦଶମିକ ୪୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱର ଜୋନରେ ଚଳିତ ବର୍ଷ ୨୦ଲକ୍ଷ ୯୩ହଜାର ୯୭୮ପିଲା ଦଶମ ପରୀକ୍ଷା ଦେଇଥିଲେ । ସେଥିରୁ ୧୯ଲକ୍ଷ ୭୬ହଜାର ୬୬୮ ଜଣ ପାସ୍ ହୋଇଛନ୍ତି ।

ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜଧାନୀର ବିଭିନ୍ନ ସ୍କୁଲରେ ଖୁସିର ମାହୌଲ ରହିଛି । କେବଳ ରାଜଧାନୀ ନୁହେଁ ରାଜ୍ୟରେ ବିଭିନ୍ନ ସହରରେ ସିବିଏସଇ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । କେଉଁଠି କୃତୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିସରରେ ଫୁଲତୋଡା ଦେଇ ସ୍ୱାଗତ କରାଯାଇଛି, ପୁଣି କେଉଁଠି ମିଠା ବାଂଟି ଖୁସି ମନେଇଛନ୍ତି ପରିବାର ଓ ସାଙ୍ଗ ସାଥୀ ।

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ମୋଟ ୯୨ ଦଶମିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଦ୍ୱାଦଶରେ ୧ ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ପାଇଛନ୍ତି । ଭୁବନେଶ୍ୱର ରିଜିୟନରେ ୯୦ ଦଶମିକ୍ ୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । ଭୁବନେଶ୍ୱର ପାସ୍ ହାରରେ ସିବିଏସଇର ୧୬ଟି ରିଜୟନ ମଧ୍ୟରୁ ୧୩ ତମ ସ୍ଥାନରେ ରହିଛି । ଦ୍ୱାଦଶରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ ।

ଛାତ୍ରୀଙ୍କ ପାସ ହାର ୯୪ ଦଶମିକ ୫୪ ପ୍ରତିଶତ ହୋଇଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୯୧ ଦଶମିକ ୨୫ ପ୍ରତିଶତ । ସିବିଏସଇ ବୋର୍ଡ ରେଜଲ୍ଟ ପ୍ରକାଶ ପାଇବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯୁବ ବନ୍ଧୁଙ୍କୁ ଶୁଭେଚ୍ଛା, ଦଶମ ଓ ଦ୍ୱାଦଶରେ ଯେଉଁମାନେ କୃତୀତ୍ୱର ସହ ଉତିର୍ଣ୍ଣ ହୋଇଛନ୍ତି । ତାଙ୍କ ଧୈର୍ଯ୍ୟ ଓ ସମର୍ପଣ ପ୍ରଶଂସା ଯୋଗ୍ୟ । ମାନବ ସମାଜ ଏକ ବଡ ଆହ୍ୱାନର ସମ୍ମୁଖୀନ ହୋଇଥିଲା ବେଳେ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତି କରି ସଫଳତା ପାଇଥିବା ମୋଦୀ କହିଛନ୍ତି ।