ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବାରୁ ଘରେ ଲାଗି ରହିଥିଲା କଳହ: ମାନସିକ ଚାପରେ ରହି ଝିଅ କରିଛି ଆତ୍ମହତ୍ୟା

976

କନକ ବ୍ୟୁରୋ: ଇନଷ୍ଟାଗ୍ରାମରେ ଶେଷ ରିଲ୍ ପୋଷ୍ଟ କରି ମହିଳାଙ୍କ ଆତ୍ମହତ୍ୟା । ମୃତ ମହିଳା ଜଣଙ୍କ ରିଲ୍ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରୁଥିଲେ ବୋଲି ଶାଶୁଘର ଲୋକ ନିର୍ଯାତନା ଦେଉଥିଲେ । ଶାଶୁଘରେ ବାରମ୍ବାର ଅଶାନ୍ତି ଲାଗି ରହୁଥିବାରୁ ମାନସିକ ଚାପରେ ରହୁଥିଲେ ମୃତ ଜୟନ୍ତୀ ପାତ୍ର । ଶେଷରେ ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଜୟନ୍ତୀଙ୍କ ବାପାଘର ଲୋକ ଅଭିଯୋଗ କରିଛନ୍ତି । ତେବେ ଜୟନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ଏକ ରିଲ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ, ସେ କହିଛନ୍ତି, ଜୀବନର ସବୁଠାରୁ ବଡ ଗୁରୁ ହେଉଛି ସମୟ । କାହିଁକି ନା, ସମୟ ଯାହା ଆମକୁ ଶିଖାଇଥାଏ ତା’ କୌଣସି ବହି ଶିଖାଇନଥାଏ ।

ଆଉ ଜୟନ୍ତୀଙ୍କ ନିଜର ଏହି ପୋଷ୍ଟରେ ଗତକାଲି ରାତିରେ କମେଂଟ କରି ଲେଖିଥିଲେ ଯେ, କାଲି ହୁଏତ୍ ମୁଁ ନଥିବି ହେଲେ ଏହି କଥାକୁ ଆପଣମାନେ ମନେ ରଖିବେ । ରିଲ୍ ଭିଡିଓରେ ସମୟ ବଡ ବଳବାନ୍ ବୋଲି କହୁଥିବା ମହିଳାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ପୋଖରୀରୁ ଉଦ୍ଧାର ହୋଇଛି । ତେବେ ଜୟନ୍ତୀଙ୍କୁ ମୃତ୍ୟୁ ପରେ ପରିବାର ଲୋକେ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ବାଲେଶ୍ୱର ଜିଲ୍ଲା କଇଁଥଗଡିଆ ଗାଁର ବୁଦ୍ଧଦେବ ପାତ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର ଗତକାଲି ବିଳମ୍ବିତ ରାତିରେ କେଉଁଆଡେ ଚାଲିଯାଇଥିଲେ । ଆଜି ସକାଳେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା ।