ଉପରାଷ୍ଟ୍ରପତି ପଦ ଲାଗି ପାର୍ଥୀ ଘୋଷଣା କଲେ ମିଳିତ ବିରୋଧୀ ଦଳ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିରୋଧରେ ଲଢିବେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା ।

249

କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଉଭୟ ଏନଡିଏ ଓ ୟୁପିଏ । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ୟୁପିଏ ପକ୍ଷରୁ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରିଛି । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଚର୍ଚ୍ଚାରେ ଧନଖଡ୍ । ଓକିଲାତି ସମୟରେ ସଲମାନଙ୍କ ବେଲ କରାଇଥିଲେ ଜଗଦୀପ । ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ପଛରେ ବିଜେପିର କଣ ରହିଛି ରଣନୀତି ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ।

  • ଚର୍ଚ୍ଚାରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ
  • ଧନଖଡ୍ କରିଥିଲେ ସଲମାନଙ୍କ ପାଇଁ ଓକିଲାତି

ଏନଡିଏ, ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଏହାରି ମଧ୍ୟରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ସହ ତାଙ୍କ କନେକ୍ସନକୁ ନେଇ ଚର୍ଚ୍ଚା ଜୋର ଧରିଛି । କୃଷ ସାର ମୃଗ ଶିକାର ମାମଲାରେ ସଲମାନଙ୍କ ବେଲ କରାଇଥିଲେ ଜଗଦୀପ ଧନଖଡ୍ । ୧୯୯୮ ମସିହାରେ ସଲମାନଙ୍କ କୃଷ ସାର ମୃଗ ଶିକାର ମାମଲା ସାମ୍ନାକୁ ଆସିଥିବାବେଳେ, ସଲମାନ ନିଜେ ଧନଖଡଙ୍କୁ ନିଜ ଓକିଲ ହିସାବରେ ଚୟନ କରିଥିଲେ ।

ପଶ୍ଚିମବଙ୍ଗ ରାଜ୍ୟପାଳ ତଥା ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବେନାର୍ଜୀଙ୍କ ମଧ୍ୟରେ ବାରମ୍ବାର ଦେଖିବାକୁ ମିଳିଛି କଥା କଟାକଟି । ଏମିତି କି ମମତା ଧନଖଡଙ୍କୁ ଆରଏସଏସ୍ ମ୍ୟାନ୍ ବୋଲି କହିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅସାମ୍ବିଧାନିକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଧନଖଡ୍ ।

ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତାଙ୍କ କଳି ପ୍ରତ୍ୟେକ ସମୟରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ମମତା, ରାଜ୍ୟପାଳଙ୍କ ବିରୋଧରେ ସରକାରୀ କର୍ମଚାରୀଙ୍କୁ ଅପମାନ କରିବାର ଅଭିଯୋଗ କରିଥିଲେ । ରାଜ୍ୟପାଳ ବିଜେପିର ପ୍ରତିନିଧୀ ଭଳି ରାଜ୍ୟରେ କାମ କରୁଥିବା ଅଭିଯୋଗ କରି ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବନ୍ଦ କରାଇଥିଲେ ମମତା । ଅନ୍ୟପଟେ ଧନଖଡ୍ ମଧ୍ୟ ମମତା ରାଜ୍ୟରେ ଗୁଣ୍ଡାରାଜ ଚଲାଇଥିବା ଅଭିଯୋଗ କରିଥିଲେ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ।

  • ଧନକଡ଼ଙ୍କୁ କାହିଁକି କରାଗଲା ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ?
  • ଧନକଡ଼ଙ୍କ ସପକ୍ଷରେ ଗଲା କେଉଁ କେଉଁ କାରଣ ?

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଧନକଡ଼ଙ୍କ ନାଁ ଘୋଷଣା ପଛରେ ରହିଛି କଠିନ ରାଜନୈତିକ ଅଙ୍କକଷା । ଆଉ ବିଜେପି ଏହି ସବୁ ଅଙ୍କ ଭଲ କରି କଷିବା ପରେ ଧନକଡ଼ଙ୍କ ନାଁରେ ମୋହର ମାରିଛି…

କାରଣ ୧: ରାଜସ୍ଥାନ ନିର୍ବାଚନ ପାଇଁ ମାଷ୍ଟରଷ୍ଟ୍ରୋକ୍
କାରଣ ୨: ଜାଠ୍ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା
କାରଣ ୩: କିଷାନ ପୁତ୍ର କହି ବିଜେପିର କୃଷକଙ୍କୁ ସନ୍ଦେଶ
କାରଣ ୪: ପଶ୍ଚିମବଙ୍ଗର ରାଜନୈତିକ ସୀମାକରଣକୁ ସୁଦୃଢ
କାରଣ ୫: ସାଧାରଣ ଲୋକଙ୍କୁ ମାନ୍ୟତାର ସନ୍ଦେଶ

ଏନଡିଏ ପାଖରେ ଉଚିଚ ସଂଖ୍ୟା ଥିବାରୁ ଧନଖଡ୍ ଉପରାଷ୍ଟ୍ରପତି ହେବା ଥୟ । ତେବେ ରାଜ୍ୟସଭାର ନେତୃତ୍ୱ ନେବାକୁ ଯାଉଥିବା ଧନଖଡ୍ ବରିଷ୍ଠ ଆଇନଜୀବୀ ହୋଇଥିବାରୁ ଆଇନ ସମ୍ମତ ନିଷ୍ପତ୍ତି ନେବେ ବୋଲି ଆଶା କରିଛି ଏନଡିଏ ।