ଖଲ୍ଲିକୋଟ ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି: ପତ୍ର ଖାଇଲା ବୋଲି ୩ ଦିନ ହେଲା ଛେଳିକୁ ଅଟକ ରଖିଛନ୍ତି ବନ କର୍ମଚାରୀ

149

କନକ ବ୍ୟୁରୋ: ଖସି ଯାଉଛନ୍ତି କାଠ ମାଫିଆ. ଅଟକ ଅଛି ଛେଳି । ଜଙ୍ଗଲରୁ ମୁଲ୍ୟବାନ ଶାଗୁଆନ କାଠ କାଟୁଥିବା କାଠ ମାଫିଆ ବନ ବିଭାଗକୁ ଚକ୍ମା ଦେଇ ଖସି ଯାଉଛନ୍ତି, କିନ୍ତୁ ଗଛର ଡାଳ ଖାଇଲା ବୋଲି ୩ ଦିନ ହେଲା ଅଟକ ଅଛି ଛେଳି । ଆଉ ଛେଳିକୁ ଅଟକ ରଖିଛି ବନ ବିଭାଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଙ୍ଗଲରେ ଛେଳି ଚରୁଥିବା ବେଳେ ଡାଳ ଖାଇଲା ବୋଲି ଛେଳିକୁ ନେଇ ଯାଇଛନ୍ତି ଗଲେ ବନ କର୍ମଚାରୀ । ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରାଷା ନୂଆପଲ୍ଲୀ ଗାଁର କିଛି ଲୋକ, ଏକ ପାହଡରେ ଛେଳି ଚରାଉଥିଲେ । ଛେଳି ଚରିବା ବେଳେ ବନ ବିଭାଗ ପକ୍ଷରୁ ରୋପଣ ହୋଇଥିବା ଗଛର ଡାଳକୁ ଛେଳି ଖାଇଦେଇଥିଲା ।

ଏଥିରେ ରାଗି ଯାଇଥିଲେ ବନ କର୍ମଚାରୀ । ବଡ ବଡ ଶାଗୁଆନ ଗଛକୁ କାଟି ନେଉଥିବା ମାଫିଆଙ୍କ ଟେର୍ ପାଉନଥିବା ବନ କର୍ମଚାରୀ ଛେଳି ଉପରେ ରାଗି ଯାଇଥିଲେ । ଛେଳିକୁ ଜଙ୍ଗଲରୁ ଆଣି ନିଜ ଅଫିସରେ ଅଟକ ରଖିଛନ୍ତି । ଏହାସହ ଛେଳି ଚରାଉଥିବା ଲୋକଙ୍କୁ ଗାଳି ଗୁଲଜ କରିଥିଲେ । ଛେଳିଟିକୁ ଛାଡିବା ପାଇଁ ମାଲିକ, ବନ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଛେଳିଟିକୁ ଛାଡି ନଥିଲେ । ୩ ଦିନ ହେଲାଣି ଛେଳିଟିକୁ ଖଲ୍ଲିକୋଟ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟ ମୋର୍ଟମ ରୁମରେ ବନ୍ଦି କରି ରଖିଛନ୍ତି । ଯହା ଏବେ ଖଲ୍ଲିକୋଟ ଅଂଚଳରେ ଅଲୋଚନାର ବିଷୟ ପାଲଟିଛି ।