କନକ ବ୍ୟୁରୋ: ଦୂର ହେଉନାହିଁ ରାସ୍ତାର ଦୂରାବସ୍ଥା । ରାସ୍ତା ମରାମତି ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଜଣାଇଲେ ବି କେହି ଶୁଣୁନାହାନ୍ତି । ତେଣୁ ରାସ୍ତା ମରାମତି ପାଇଁ ସହାୟତା ମାଗୁଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ସରପଂଚ ଓ ସମିତି ସଭ୍ୟ ଘର ଘର ବୁଲି ଆର୍ଥିକ ସହାୟତା ମାଗୁଛନ୍ତି । ପଂଚାୟତବାସୀଙ୍କ ଠାରୁ ସହାଯ୍ୟ ମାଗି ନିଜ ଅଂଚଳର ରାସ୍ତା ମରାମତି କରିବା ପାଇଁ ଅଂଟା ଭିଡିଛନ୍ତି । ଗ୍ରାମବାସୀ, ସରପଂଚ ଓ ସମିତି ସଭ୍ୟଙ୍କ କହିବା ଅନୁସାରେ, ପ୍ରଶାସନିକ ଅବହେଳାର ଶିକାର ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପେଗରପଡ଼ା ପଂଚାୟତବାସୀ । ଲୋକଙ୍କ କହିବା କଥା, ଗାଁ ଦାଣ୍ଡରେ ପାଣି ଜମୁଛି । ଗତ ଲଗାଣ ବର୍ଷା ଓ ବନ୍ୟାରେ ଗାଁ ଦାଣ୍ଡ ସଂପୂର୍ଣ୍ଣ ବୁଡି ଯାଉଛି ।

ଦାଣ୍ଡରେ ପାଣି ଜମିବାରୁ ଘରେ ଘରେ ଥଣ୍ଡା, ଜ୍ୱର ହେଉଛି । ତେଣୁ ଦାଣ୍ଡରୁ ପାଣି ବାହାର କରି କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି । ଏଥିପାଇଁ ସରକାରୀ ସାହାଯ୍ୟ ନମିଳିବାରୁ ପେଗରପପଡ଼ା ପଂଚାୟତ ସରପଂଚ ଶ୍ରଦ୍ଧାଞ୍ଜଳି ମଲ୍ଲିକ ଓ ସମିତି ସଭ୍ୟ ପ୍ରବେସନ ମଲ୍ଲିକ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି । ପୂର୍ବରୁ ନିଜ ଅଂଚଳରେ ହୋଇଥିବା ଜନ ଶୁଣାଣିରେ ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ ପତ୍ର ଦେଇ ସମାଧାନ କରିବା ପାଇଁ ନିବେଦନ କରିଥିଲେ ସରପଂଚ ଓ ସମିତି ସଭ୍ୟ । ହେଲେ ଏଯାଏଁ କିଛି ହେଲା ନାହିଁ । ତେଣୁ ସରପଂଚ ଓ ସମିତି ସଭ୍ୟ ଘର ଘର ବୁଲି ସହାୟତ ମାଗୁଥିବା ବେଳେ ଜିଲ୍ଲାପାଳ ଅମୃତ ଋତୁରାଜ କହିଛନ୍ତି, ରାସ୍ତା କାମ ପାଇଁ ଗ୍ରାମସଭା କରିବା ସହ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବା ପରେ ରାସ୍ତା ନିର୍ମାଣ ଆରମ୍ଭ ହେବ । ସେପଟେ ଏହି ସଂପର୍କରେ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।