ଫୁଲୁଛି ଯମୁନା ନଦୀ, ବଢୁଛି ଦିଲ୍ଲୀର ଦୁଃଖ: ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଲାଲକିଲ୍ଲାଠୁ ନେଇ ସହରର ଗଳିକନ୍ଦିରେ ପଶିଲା ବନ୍ୟାପାଣି

144

କନକ ବ୍ୟୁରୋ: ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା ନଦୀ । ବନ୍ୟାପାଣିରେ ଫୁଲୁଛି ଯମୁନା । ରାଜଧାନୀର ଭିଆଇପି ଅଂଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ବିଧାନସଭା, ସଚିବାଳୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ବାସଭବନ, ଲାଲକିଲ୍ଲାଠୁ ନେଇ ଅଧିକାଂଶ ସ୍ଥାନରେ ଯମୁନା ନଦୀ ପାଣି ପଶିବା ଯୋଗୁଁ ରାଜଧାନୀର ସ୍ଥିତି ବେହାଲ ହୋଇପଡିଛି । ସେପଟେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ, କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରୀ ସେବା ଛୁଟିରୁ ବାଦ ରହିବେ ।

ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ହାତିନୀକୁଣ୍ଡ ଡ୍ୟାମରୁ ପାଣି ଛଡାଯିବା ପରେ ଯମୁନା ନଦୀରେ ରେକର୍ଡସ୍ତରରେ ବନ୍ୟା ପାଣି ପଶିଛି । ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଂଚିଛି । ୧୯୭୮ ମସିହାରେ ଯମୁନାର ଜଳସ୍ତର ସର୍ବାଧିକ ୨୦୭ ଦଶିମକ ୪୯ ମିଟର ପର୍ଯ୍ୟନ୍ତ ବଢିଥିଲା ।

ସହର ଭିତରେ ନଦୀ ପାଣିର ପଶିବା ପରେ ରାଜଧାନୀର ସ୍ଥିତି ବେଶ ସାଂଘାତିକ ହୋଇପଡିଛି । ଯଦି ବର୍ଷା ହ୍ରାସ ନପାଏ ତେବେ ଆଗାମୀ ଦିନରେ ରାଜଧାନୀର ନିଦ ଯମୁନା ନଦୀ ହଜାଇବା ଆଶଙ୍କା ରହିଛି । । କଶ୍ମୀରଗେଟ, ଆଇଟିଓ, ସିଭିଲି ଲାଇନ୍ସ, ମୟୁରବିହାର, ବଜୀରାବାଦ, ରାଜଘାଟ ପରି ସ୍ଥାନରେ ନଦୀ ପାଣି ପଶିବା ଯୋଗୁଁ ସାଧାରଣ ଜନତାଙ୍କଠୁ ନେଇ ରାଜନେତା ସମସ୍ତେ ସମସ୍ୟା ଦେଇ ଗତି କରୁଛନ୍ତି ।

ସେପଟେ ଶିକ୍ଷାନୁଷ୍ଠାନଠୁ ନେଇ ସମସ୍ତ ସରକାର କାର୍ଯ୍ୟାଳୟ ରବିବାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରି ସେବାରେ ନିୟୋଜିତ କାର୍ଯ୍ୟାଳୟ ଖୋଲା ରହିବ । ଘରୋଇ ସଂସ୍ଥମାନଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କୁ ପିଇବା ପାଣି ମିଳିବା କଷ୍ଟକର ହେବ ବୋଲି ପୂର୍ବରୁ ସୂଚନା ଦେଇ ସତର୍କ ରହିବାକୁ କହିଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ତଳିଆ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ସେଠାରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଦେଖି ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କଠାରୁ ସହାୟତା ଲୋଡିଛନ୍ତି ।