ବନ୍ୟା କମିଛି, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା। ଛାତ ଉପରେ ଆଶ୍ରୟ ନେଇଛନ୍ତି ବନ୍ୟା ବିପନ୍ନ।

72

କନକ ବ୍ୟୁରୋ: ଛାତ ଉପରେ ଆଶ୍ରୟ ନେଇଛନ୍ତି । ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ଶରଧାପୁର ଗାଁରୁ ଆସିଛି । ପୁରା ଗାଁ ଏବେ ପାଣି ଘେରରେ । ଗାଁ ମଝିରେ ଏବେବି ଆଣ୍ଠୁଏ ଉଚ୍ଚର ପାଣି । ଘରେ ବି ପାଣି ପଶିଯାଇଛି । ଫଳରେ ଲୋକ ଏବେ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଦିନ ରାତି ବନ୍ୟା ବିପନ୍ନଙ୍କ ସମୟ କଟୁଛି ଛାତ ଉପରେ । ସରକାରଙ୍କ ପକ୍ଷରୁ ଏବେ ଦୁଇ ଓଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଖାଲି ଶରଧାପୁର ନୁହେଁ, କୁରୁମପଡ଼ା, ମାନପୁର, ବଳପୁର, ଧବଳପୁର, ଓରପି ପରି ଗାଁ ଏବେ ବନ୍ୟା ପାଣି ଘେରରେ  ।

ସେହି ସମାନ ଚିତ୍ର ଖୋର୍ଦ୍ଧା ଜିଲ୍ଲା ହରିମୂଳ ଗାଁର  । ପୁରା ଗାଁ ଜଳବନ୍ଦୀ ହୋଇ ରହିଛି  । ବନ୍ୟା ପାଣି କମିଛି, ହେଲେ ଏବେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି  । ଗାଁ ଚାରିପଟେ ବନ୍ୟା ପାଣି ଘେରି ରହିଥିବାରୁ ଲୋକେ ଡଙ୍ଗାରେ ଯିବାଆସିବା କରୁଛନ୍ତି  । ରାଜୁଆ ନଦୀରେ ବନ୍ୟା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ଓରବରସିଂ, ନରଣଗଡ଼, ବ୍ରଜମୋହନପୁର ପଞ୍ଚାୟତର ୧୫ଟି ଗାଁ ଜଳବନ୍ଦୀ ହୋଇ ରହିଥିଲା  । ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ କିଛି ଘରକୁ ଫେରୁଛନ୍ତି  ।

ସୁବର୍ଣ୍ଣରେଖା ବନ୍ୟା ସ୍ଥିତିରେ ସୁଧାର ଆସୁଛି । ହେଲେ ଏବେବି ଭୋଗରାଇ ଓ ବାଲିଆପାଳ ବ୍ଲକର ଅନେକ ଗାଁର ଲୋକେ ଏବେ ବି ପାଣି ଘେରରେ ରହିଛନ୍ତି । ବନ୍ୟା ବିପନ୍ନଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବା ପାଇଁ ସରକାରୀ ଉଦ୍ୟମ ଜାରି ରହିଛି  । ସେପଟେ ବନ୍ୟାପାଣି ହେକ୍ଟର ହେକ୍ଟର ଜମିର ଚାଷ ମଧ୍ୟ ଉଜାଡ଼ି ଦେଇଛି  ।