ଯାଜପୁରରେ ପାଣିରେ ବୁଡିଛି ଶହ ଶହ ଚାଳଘର। ବନ୍ୟାରେ ଧରାପଡିଲା ସରକାରୀ ଯୋଜନାର ସତ। 

64

କନକ ବ୍ୟୁରୋ: ବୈତରଣୀ ଶାଖା ନଦୀ କାଣୀ ନଦୀରେ ଘାଇ ହେବା ଫଳରେ ସାମନାକୁ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ସରକାରୀ ଘର ବଣ୍ଟ।। ଯିବାର ବିକଳ ଚିତ୍ର । ବ୍ଲକରେ ଥିବା ୩୫ପଞ୍ଚାୟତର ବିଭିନ୍ନ ଗାଁରେ ଏବେ ବି ଧାଡି ହୋଇ ଠିଆ ହୋଇଛି ଚାଳ ଛପର ଘର ।

ବନ୍ୟା ପାଣି ଘରେ ପଶିବା ପରେ ଚାଳ ଛପର ଘରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି । ଘରେ ପାଣି ପଶିଯିବା ଯୋଗୁଁ ମାଟି କାନ୍ଥ ଗୁଡିକ ଏବେ ଭାଙ୍ଗିବାରେ ଲାଗିଛି । କେତେକ ଘର ଭାଙ୍ଗି ବି ଯାଇଛି । ଆଉ ଏବେ ପାଣି ଛାଡୁଥିିବାବେଳେ ଲୋକମାନେ ଘରକୁ ଫେରି ତାକୁ ସଜାଡିବାରେ ଲାଗିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଶରଥପୁର ବ୍ଲକରେ ମୋଟ ୩୫ଟି ପଞ୍ଚାୟତରେ ବିପିଏଲ ପରିବାର ସଂଖ୍ୟା ୨୨ ହଜାର ୮୬୩ । କିନ୍ତୁ ୨୦୦୧-୦୦୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦଶରଥପୁର ବ୍ଲକରେ ୨୫ହଜାରରୁ ଅଧିକ ଘର ବଣ୍ଟା ଯାଇଛି । ତଥାପି ଘର ପାଇବାକୁ ଏବେ ବି ପ୍ରାୟ ୧୫ ହଜାର ପରିବାର ଅପେକ୍ଷା କରିଛନ୍ତି ।  ହେଲେ ଘର ପାଇବାକୁ ଯୋଗ୍ୟ ଲୋକଙ୍କୁ ମିଳିନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଯେଉଁ ଜିଲ୍ଲାରେ ଶାସକ ଦଳର ପ୍ରମୁଖ ହେଭିୱେଟଙ୍କ ଘର ସେହି ଜିଲ୍ଲାରେ ଲୋକଙ୍କୁ ଆବାସ ଯୋଜନାରେ ଘର ନମଳିବା ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି । ମୟୂରଭଞ୍ଜ ଜିଲ୍ଲାର ଭଙ୍ଗା ଘର ଦେଖାଇ ଟାର୍ଗେଟ କରିଛନ୍ତି । ପାଲଟା ଦୋଷ ଦେଇଛି ବିଜେଡି ।

କେବଳ ଯାଜପୁର ଜିଲ୍ଳା ନୁହେଁ, ରାଜ୍ୟର ସବୁ ଜିଲ୍ଲାର ଆବାସ ଯୋଜନାରେ ଘର ବଣ୍ଟନର ସତକୁ ପଦାରେ ପକାଇ ଦେଇଛି ବନ୍ୟା । କେନ୍ଦ୍ର ଓ ରାଜ୍ୟ ସରକାର କଳିରେ ମାତିଥିବାବେଳେ ଘର ଖଣ୍ଡିଏ ନପାଇ ହନସନ୍ତ ହେଉଛନ୍ତି ହଜାର ହଜାର ପରିବାର ।