ଚାଷୀ ଦେଲେ ବିଧାନସଭା ପ୍ରାର୍ଥୀ । ସୋନପୁର ପାଇଁ ସୋନାଲି ବିଶିଙ୍କ ନା ଘୋଷଣା କଲା ନବ ନିର୍ମାଣ କୃଷକ ସଂଗଠନ ।

254

କନକ ବ୍ୟୁରୋ: ଚାଷୀ ଦେଲେ ବିଧାନସଭା ପ୍ରାର୍ଥୀ । ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଚାଷୀ ପ୍ରାର୍ଥୀ ଭାବେ ସୋନାଲି ବିଶିଙ୍କ ନାଁ ଘୋଷଣା କରାଯାଇଛି । ଗତକାଲି ସୋନପୁର ରୟାଲ ପଡିଆରେ ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନର ହଜାର ହଜାର ଚାଷୀ ଯୋଗଦେଇଥିଲେ । ସମାବେଶରେ ରାଜ୍ୟ ବାହାରର ବହୁ ଚାଷୀ ମଧ୍ୟ ସାମିଲ ହୋଇଥିଲେ ।
ନିର୍ବାଚନ ପୂର୍ବରୁ ଚାଷୀଙ୍କ ଏପରି ସମାବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସଭା ପୂର୍ବରୁ ଚାଷୀଙ୍କ ଦ୍ୱାରା ଏକ ଟ୍ରାକ୍ଟର ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ୪୦୦ ଟଙ୍କା, ଚାଷୀଙ୍କୁ ମାସିକ ୫ ହଜାର ଟଙ୍କାର ପେନସନ୍, ଚାଷୀଙ୍କ ଋଣ ଓ ବକେୟା ବିଦ୍ୟୁତ୍ ଦେୟ ଛାଡ ଆଦି ଦାବି କରିଛି କୃଷକ ସଂଗଠନ । ଏସବୁ ଦାବି ପୂରଣ ପାଇଁ ଆଗାମୀ ନିର୍ବାଚନରେ ଚାଷୀ ପ୍ରତିନିଧି ବିଧାନସଭାକୁ ପଠାଇବାକୁ ଚାଷୀ ସଂଗଠନ ଆହ୍ୱାନ ଦେଇଛି ।