ପୁଣି ପରମାଣୁ ଡର ଦେଖାଇଲା ରୁଷ୍ । କହିଲା, ଆବଶ୍ୟକ ହେଲେ କରିବୁ ପରମାଣୁ ଅସ୍ତ୍ର ବ୍ୟବହାର

190

କନକ ବ୍ୟୁରୋ: ରୁଷ୍-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଥିବା ବେଳେ ଶାନ୍ତିର ସମ୍ଭାବନା ମଉଳି ଚାଲିଛି । ଏହା ଭିତରେ ରୁଷ ଯେଉଁକଥା କହିଛି, ତାହା ବେଶ୍ ଚିନ୍ତାର ବିଷୟ । କ୍ରେମଲିନ୍ ମୁଖପାତ୍ର କହିଛନ୍ତି ଯେ, ଯଦି ରୁଷ୍ ପ୍ରତି ଅତି ବଡ଼ ବିପଦ ଆସେ, ତା ହେଲେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପଛାଇବ ନାହିଁ ।

  • ପୁଣି ପରମାଣୁ ଡର ଦେଖାଇଲା ରୁଷ୍
  • ଆବଶ୍ୟକ ହେଲେ କରିବୁ ପରମାଣୁ ଅସ୍ତ୍ର ବ୍ୟବହାର

କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସକୋଭ୍ ଆମେରିକୀୟ ଗଣମାଧ୍ୟମ ସିଏନଏନକୁ ସାକ୍ଷାତକାରରେ କହିଛନ୍ତି ଯେ, ଦେଶ ଓ ଜନତାଙ୍କ ସୁରକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ନୀତି ରହିଛି । ପରମାଣୁ ଅସ୍ତ୍ର ବ୍ୟବହାରର କାରଣ ନେଇ ମଧ୍ୟ ଏଥିରେ ଉଲ୍ଳେଖ ରହିଛି । ତେଣୁ ଯଦି ରୁଷର ଅସ୍ତିତ୍ୱ ପ୍ରତି ବିପଦ ଆସେ, ତାହେଲେ ଏହି ନୀତି ଅନୁସାରେ ପରମାଣୁ ଅସ୍ତ୍ର ବ୍ୟବହାର କରାଯାଇପାରେ ।

  • କିଭରେ ଜୋରଦାର ଲଢ଼େଇ
  • ରାଜଧାନୀ ବଞ୍ଚାଇବାକୁ ୟୁକ୍ରେନ ସେନାର ଉଦ୍ୟମ

ଅନ୍ୟପଟେ ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ, ବୋମା ଓ ରକେଟ ମାଡ କରୁଛି ରୁଷ । ପୁଟିନ ବାହିନୀ ମାରିୟୁପୋଲ ସହର ଦଖଲ ପାଇଁ ଶକ୍ତିଶାଳୀ ବୋମାବର୍ଷା କରୁଛନ୍ତି । ରାଜଧାନୀ କିଭରେ ମଧ୍ୟ ଜୋରଦାର ଲଢ଼େଇ ଚାଲିଛି । କିଭ ସହରକୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ୟୁକ୍ରେନ । ସେପଟେ ରୁଷ୍ ପକ୍ଷରୁ ଚେର୍ଣ୍ଣୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରେ ଏକ ଆଣବିକ ବର୍ଜ୍ୟ ପ୍ରକ୍ରିୟାକରଣ ଲ୍ୟାବକୁ ନଷ୍ଟ କରିଦେଇଥିବା ଅଭିଯୋଗ କରିଛି ୟୁକ୍ରେନ । ପୂର୍ବରୁ ରୁଷ୍ ରସାୟନିକ ଓ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଓ ନାଟୋ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା । ଏବେ ରୁଷ୍ ପକ୍ଷରୁ ଏହି ବୟାନ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି ।