ଗଞ୍ଜାମ ରାଜନୀତିରେ ପୁଣି ସିଦ୍ଧାନ୍ତଙ୍କ ଆବିର୍ଭାବ । ଜିଲ୍ଲା ବିଜେଡି ରାଜନୀତି ପୁଣି ସରଗରମ । ପୁଣି ପ୍ରାର୍ଥୀ ହେବେ କି ସିଦ୍ଧାନ୍ତ?

317

କନକ ବ୍ୟୁରୋ : ଗଞ୍ଜାମ ରାଜୀନୀତିରେ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଆବିର୍ଭାବ ଚର୍ଚ୍ଚାର ବିଷୟ ପାଲଟିଛି । ସିଦ୍ଧାନ୍ତ ଗତକାଲି ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛତ୍ରପୁର ଓ ଗୋପାଳପୁର ନିର୍ବାଚନମଣ୍ଡଳୀର କିଛି ନେତାଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହା ଦଳୀୟ ମହଲରେ ନୂଆ ଚର୍ଚ୍ଚା ଓ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

  • ଗଞ୍ଜାମ ରାଜନୀତିରେ ପୁଣି ସିଦ୍ଧାନ୍ତଙ୍କ ଆବିର୍ଭାବ
  • ଜିଲ୍ଲା ବିଜେଡି ରାଜନୀତି ପୁଣି ସରଗରମ

ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଗଞାମ ରାଜନୀତି ସରଗରମ ହୋଇଛି । ସିଦ୍ଧାନ୍ତ ବ୍ରହ୍ମପୁର, ଗୋପାଳପୁର ଓ ମୋହନା ଅଞ୍ଚଳର ଦଳୀୟ ନେତାଙ୍କୁ ଭେଟିବା ଏଭଳି ଚର୍ଚ୍ଚାକୁ ହାୱା ଦେଇଛି । ବୁଧବାର ଦିନ ବିଜେଡି ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସିଦ୍ଧାନ୍ତ । ଏହା ପରେ ଦଳୀୟ ନେତାଙ୍କୁ ଭେଟିଥିଲେ । ଏବେ ସିଦ୍ଧାନ୍ତଙ୍କ ଅଚାନକ ଆବିର୍ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ପରେ ଗଞ୍ଜାମ ରାଜନୀତିରେ ଏହାର ବଡ ପ୍ରଭାବ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ଦୀର୍ଘଦିନ ହେବ ଗଞ୍ଜାମରେ ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି । ତେବେ ପ୍ରଦୀପକୁ ଚେକ ଦେବାକୁ ପୁଣି ଥରେ ସିଦ୍ଧାନ୍ତଙ୍କୁ ବିଜେଡି ଆଗକୁ ଆଣିଥିବା ଚର୍ଚ୍ଚା ହେଉଛି ।

  • ବଦଳିବ ଗଞ୍ଜାମ ରାଜନୀତି ପାଣିପାଗ!
  • ପୁଣି ପ୍ରାର୍ଥୀ ହେବେ କି ସିଦ୍ଧାନ୍ତ?

୨୦୦୯ ଓ ୨୦୧୪ରେ ବ୍ରହ୍ମପୁରର ସାଂସଦ ରହିଥିବା ସମୟରେ ଗୋପାଳପୁର ଓ ଛତ୍ରପୁର ଭଳି ଅଞ୍ଚଳରେ ବେଶ ସକ୍ରିୟ ଥିଲେ ସିଦ୍ଧାନ୍ତ । ତେଣୁ ଏବେ ପଛରେ ଏବେ ବି ଦଳୀୟ ନେତାଙ୍କ ସମର୍ଥନ ରହିିଛି । ଗୋପାଳପୁର ଓ ଛତ୍ରପୁରରେ ବିଜେଡି କନ୍ଦଳ ବଢିଥିବାରୁ ଏହି ନିର୍ବାଚନମଣ୍ଡଳୀର ନେତାଙ୍କ ସହ ସିଦ୍ଧାନ୍ତ ମହାପାତ୍ରଙ୍କ ଆଲୋଚନା ଅନ୍ୟ କିଛି ଦିଗ ଆଡକୁ ଇସାରା କରୁଛି । କିନ୍ତୁ ୪ ବର୍ଷ ପରେ ପୁଣି ଗଞ୍ଜାମ ରାଜନୀତିରେ ସିଦ୍ଧାନ୍ତଙ୍କ ଚଳଚଞ୍ଚଳ ହେବା ବିଜେଡି ସମର୍ଥକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଶୟ ସୃଷ୍ଟି କରିଛି । ତେବେ ଗଞାମ ଜିଲ୍ଲାରେ ବିଜେଡିର ଅନେକ ବରିଷ୍ଠ ନେତା ଅଛନ୍ତି । ତାସତ୍ତେ୍ୱ ଅଭିନେତା ତଥା ପୂର୍ବତନ ସାଂସଦ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ନେଇ ରାଜନୈତିକ ମହଲ ନୂଆ ଅଙ୍କକଷା ଆରମ୍ଭ କରିଛନ୍ତି ।