ମୋବାଇଲରେ ଘୁରି ବୁଲୁଛି ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ର । ଫଟୋରେ ଶ୍ରୀବିଗ୍ରହଙ୍କୁ ବ୍ୟଙ୍ଗାତ୍ମକ ଭାବେ ପରିବେଷଣକୁ ତେଜିଲା ଅସନ୍ତୋଷ

377

କନକ ବ୍ୟୁରୋ: ବଡଠାକୁରଙ୍କ ବିକୃତ ଫଟୋକୁ ନେଇ ତେଜୁଛି ବିବାଦ । ମହାପ୍ରଭୁଙ୍କ ଅଣସର ବାସ ସମୟର କିଛି ବ୍ୟଙ୍ଗାତ୍ମକ କାର୍ଟୁନ କରି ସୋସିଆଲ ମିଡିଆରେ ସେୟାର କରିଛି ଲୁଧିଆନା ଇସ୍କନ । ଆଉ ଏହି କାର୍ଟୁନ୍ ଫଟୋରେ ମହାପ୍ରଭୁଙ୍କ ହାତ ଥିବା ଦର୍ଶାଯାଇଥିବାବେଳେ ଶ୍ରୀଜଗନ୍ନାଥଙ୍କ ମୁହଁରେ ଥର୍ମୋମିଟର ଥିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଏଭଳି ବ୍ୟଙ୍ଗାତ୍ମକ ଫଟୋ କରିବା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ନୀତିକୁ ନେଇ ଭାଇରାଲ ହେଉଛି ବ୍ୟଙ୍ଗଚିତ୍ର । ଗୋଟିଏ ଚିତ୍ରରେ ମହାପ୍ରଭୁ ପାଟିରେ ଥର୍ମୋମିଟର ଦେଇଥିବା ଦେଖାଯାଇଛି । ଅନ୍ୟ ଏକ ଫଟୋରେ ଶ୍ରୀବିଗ୍ରହ ଶୀତ ପୋଷାକ ପିନ୍ଧି ଶୋଇଥିବା ଦର୍ଶାଯାଇଛି । ଏପରକି ଫଟୋରେ ଜଗନ୍ନାଥଙ୍କ ହାତ ଥିବା ଦେଖାଯାଇଛି । ଆଗରେ ଔଷଧ ଓ ଅନ୍ୟ ସାମଗ୍ରୀ ରଖାଯାଇଛି । ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ମହାପ୍ରଭୁ ଅଣସରରେ ରହିଥିବାବେଳେ, ଏମିତି କାର୍ଟୁନ କରାଯିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ବିଡମ୍ବନାର କଥା ହେଉଛି, ମହାପ୍ରଭୁଙ୍କ ଏହି ବ୍ୟଙ୍ଗଚିତ୍ର ଲୁଧିଆନାର ଇସ୍କନ ସଂଗଠନର ସାମାଜିକ ଗଣମାଧ୍ୟମ ପେଜରେ ପୋଷ୍ଟ କରାଯାଇଛି । କୃଷ୍ଣ ଧର୍ମ ପ୍ରଚାର କରୁଥିବା ଇସ୍କନ ପକ୍ଷରୁ ଜଗନ୍ନାଥଙ୍କ ନେଇ ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ କରାଯିବାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରିବା ସହ ପ୍ରତିବାଦ ଜଣାଇ ଇସ୍କନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେବାୟତ । ବିବାଦ ବଢ଼ୁଥିବାବେଳେ ଜିଲ୍ଲାପାଳ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ର କରାଯିବା ଘଟଣାକୁ ନେଇ ଭୁବନେଶ୍ୱର ଇସ୍କନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ଇସ୍କନ ସହ ସଭାପତି କହିଛନ୍ତି, ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ପୂର୍ବରୁ ମଧ୍ୟ ଜଗନ୍ନାଥଙ୍କୁ ନେଇ ଜଡିତ ବିଭିନ୍ନ ପ୍ରସଙ୍ଗରେ ବିବାଦ ଭିତରକୁ ଆସିଥିଲା ଲୁଧିଆନା ଇସ୍କନ ।