ଜୋର ଧରିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଫୋନ କଲ ଅପେକ୍ଷାରେ ବିଧାୟକ

270

କନକ ବ୍ୟୁରୋ: ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା ଦେବା ପରେ ବି ରାଜ୍ୟପାଳ ରାଜ୍ୟ ବାହାରେ ଥିବାରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଥମି ଯାଇଥିଲା । ଆଲୋଚନା ହେଉଥିଲା ରାଜ୍ୟପାଳ ଫେରିବା ପରେ ଯାହା ହେବ । ଆଉ ଏବେ ରାଜ୍ୟପାଳ ଫେରିବା ଖବର, ପୁଣି ଥରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି, ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ବିଧାୟକଙ୍କୁ ସାମିଲ କରିପାରନ୍ତି ନବୀନ । ହେଲେ, ବହୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବାରୁ କାହାକୁ ମନ୍ତ୍ରୀପଦ ମିଳିବ,ତାହା ସ୍ପଷ୍ଟ ହୋଇନି । କିଏ ବାଚସ୍ପତି ହେବେ ତାହା ବି ସ୍ପଷ୍ଟ ହୋଇନି । ଏଭଳି ସ୍ଥିିତିରେ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲକୁ ଅପେକ୍ଷା କରିଛନ୍ତି ଚର୍ଚ୍ଚାରେ ଥିବା ବିଧାୟକ ।

ଗୋଟିଏ ପଟେ ମନ୍ତ୍ରୀ ମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ଆଉ ଗୋଟିଏ ପଟେ ୨୦୨୪ ପାଇଁ ରାଜ୍ୟ ବିଜେପି ନୂଆ ଟିମ୍ କରିବାକୁ ଯାଉଥିବା ଖବର ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଦିଲ୍ଲୀରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭେଟିବା ପରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମନମୋହନ ଖୁବଶୀଘ୍ର ନିଜ ଟିମ୍ ଘୋଷଣା କରିପାରନ୍ତି । ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଲାଗି ଦୁର୍ବଳ ସ୍ଥାନଗୁଡିକରେ ଅଭିଜ୍ଞ ଏବଂ ବରିଷ୍ଠ ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଯାଇପାରେ । ୨୦୧୯ ପରେ ରାଜ୍ୟରେ ହୋଇଥିବା ୮ଟି ଉପ-ନିର୍ବାଚ୍ଚନରୁ ୭ଟିରେ ବିଜେପି ହାରିଥିବାରୁ, ଦଳୀୟ ସଂଗଠନକୁ ଆମୂଳଚୁଳ ପରିବର୍ତନ କରିପାରନ୍ତି ମନମୋହନ ।

୨୦୨୪ ନିର୍ବାଚ୍ଚନକୁ ଆଉ ଏକ ବର୍ଷରୁ କମ ସମୟ ବାକି ରହିଛି । କିନ୍ତୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରସ୍ତୁତି ରାଜ୍ୟରେ ଏବେଠାରୁ ନିର୍ବାଚନୀ ମାହୋଲ ସୃଷ୍ଟି କରିଛି ।