ଆଜି ବାତ୍ୟା ! ସନ୍ଧ୍ୟାରେ ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବା ସମ୍ଭାବନା

212

କନକ ବ୍ୟୁରୋ : ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଆଜି ପୂର୍ବାହ୍ନରେ ବାତ୍ୟାର ରୂପ ନେଇପାରେ । ଏବଂ ଆହୁରି ଘନୀଭୂତ ହୋଇ ଆଜି ସଂଧ୍ୟା ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ଆଶଙ୍କା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ତୀବ୍ର ଅବପାତ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଏବେ ପୁରୀଠାରୁ ୧୧୦୦ କିଲୋମିଟରରେ ଦୂରରେ ରହିଛି ଏବଂ ବିଶାଖପଟନମ ଠାରୁ ୧ ହଜାର ୬୦ କିଲୋମିଟର ଦୂରତାରେ ଅଛି । ୧୦ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ସେହି ଉତର-ପଶ୍ଚିମ ଦିଗରେ ଗତି କରି ଉତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମୁହାଁ ହେବ ।

ଆଉ ବାତ୍ୟା ଉପକୂଳ ପହଞ୍ଚିବା ଆଗରୁ ସମୁଦ୍ର ଭିତରେ ରି-କର୍ଭ କରିବ, ଅର୍ଥାତ୍ ବାତ୍ୟାର ଦିଗ ବଦଳିଯିବା ଆଶଙ୍କା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ରିକର୍ଭ କରିବା ପରେ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ସେତେବେଳକୁ ଉପକୂଳରୁ ଦେଢ଼ ଶହରୁ ୨ ଶହ କିଲୋମିଟର ଦୂରରେ ଥିବ ବାତ୍ୟାର କେନ୍ଦ୍ର ସ୍ଥଳ । ସ୍ଥଳ ଭାଗ ନଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା । ତେଣୁ ଓଡ଼ିଶାକୁ ଯେଉଁ ବାତ୍ୟା ଭୟ ଥିଲା, ବର୍ତମାନର ପୂର୍ବନୁମାନ ଅନୁସାରେ ସେହି ଭୟ ଟଳିଯାଇଛି । ତେବେ ୧୦ ତାରିଖରୁ ଓଡ଼ିଶା ଉପକୂଳବର୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ୮ତାରିଖ ସଂଧ୍ୟାରୁ ଘଂଟା ପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ, ଯାହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ୯ ତାରିଖ ବେଳକୁ ୧୦୫ରୁ ୧୧୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

ଯାହାର ଝଟକା ୧୨୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ୧୦ ତାରିଖରୁ ପବନର ବେଗ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୧ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ଝଡ଼, ସାମୁଦ୍ରିକ ଝଡ଼ରେ ପରିଣତ ହେବ । ୧୨ ତାରିଖ ସଂଧ୍ୟାରେ ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ।