କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାନସଙ୍କ ରଣପୁର ସ୍ଥିତ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

115

କନକ ବ୍ୟୁରୋ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଏବେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଏହିକ୍ରମରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ମାନସଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି । ସୋମବାର ମାନସଙ୍କ ରଣପୁର ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି, ଏବଂ ସେଠାରେ ମାନସଙ୍କ ପରିବାର ସହିତ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିଛି । ଖାଲି ସେତିକି ନୁହେଁ, ମାନସଙ୍କ ଚପଲ ଓ ଇୟରକର୍ଡ ଚିହ୍ନଟ କରିବା ପାଇଁ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।

ଅନ୍ୟପଟେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଏକାଠି ଜେରା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଟିମ୍ ଦୁଇ ଜଣଙ୍କୁ ଜେରା କରିଛନ୍ତି । ବ୍ୟକ୍ତିଗତ ଜେରା ବେଳେ ଉଭୟଙ୍କ କଥାରେ ତାଳମେଳ ରହୁନଥିବାରୁ ଏକାଠି ଜେରା କରାଯାଇଛି । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଞ୍ଚ ହାତରେ ବର୍ତମାନ ସୁଦ୍ଧା ଲାଗି ନାହିଁ । ମେମୋରି ଚିପ୍ ନେଇ ଶର୍ମିଷ୍ଠା ଓ ଝୁନାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଏହାସହ ନିରଞ୍ଜନଙ୍କ ଡାଏରୀରୁ ମିଳିଥିବା ତଥ୍ୟକୁ ନେଇ ଜେରା କରାଯାଉଛି । ତଦନ୍ତରେ ଉଭୟ ଶର୍ମିଷ୍ଠା ଓ ଝୁନା ଭୋଇ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେରା ସଂପର୍କିତ ସୂଚନା ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଗଣମାଧ୍ୟମକୁ ଦେବ ବୋଲି ଜଣାପଡ଼ିଛି । ରିମାଣ୍ଡ ଅବଧି ଶେଷ ହେବା ପେର ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଆଉ ତିନି ଦିନଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ।