ଭୁଆଶୁଣି ଡମ୍ପିଂୟାର୍ଡକୁ ଗଲା ବିଏମସି ଅଳିଆ। ଦୈନିକ ୨ ଶହ ଟ୍ରକରେ ଉଠାଯିବ ଆବର୍ଜନା। 

95

କନକ ବ୍ୟୁରୋ: ପ୍ରାୟ ୨୦ଦିନ ହେବ ବନ୍ଦ ରହିବା ପରେ ବୁଧବାର ଦାରୁଠେଙ୍ଗସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡକୁ ଯାଇଛି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଅଳିଆ  । ଦାରୁଠେଙ୍ଗବାସୀ ରାଜି ହେବା ପରେ ଗାଡକଣସ୍ଥିତ ଅସ୍ଥାୟୀ ଡମ୍ପିଂୟାର୍ଡରୁ ଅଳିଆ ଉଠାଯାଇ ଭୁଆଶୁଣି ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରାଯାଇଛି । ଅଳିଆ ଉଠିବା ପରେ ଦାରୁଠେଙ୍ଗବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଏମସି ମେୟର  ।

ରାଜଧାନୀର ଅଳିଆ ଉଠିବା ପରେ ବିଏମସି କମିଶନର ଦାରୁଠେଙ୍ଗବାସୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି, ଟ୍ରକ ଯୋଗେ ଜମା ହୋଇଥିବା ଅଳିଆକୁ ଉଠାଯାଇଛି । ଦୈନିକ ଦୁଇଶହ ଟ୍ରକରେ ଅଳିଆ ଉଠାଯାଇ ସ୍ଥାନାନ୍ତର କରାଯିବ । ଜମା ହୋଇଥିବା ଅଳିଆ ସଫା ହେବା ପରେ ପର୍ଯ୍ୟାୟକ୍ରମେ ଟ୍ରକ ସଂଖ୍ୟାକୁ ହ୍ରାସ କରାଯିବ । ୯ମାସ ମଧ୍ୟରେ ଅଧିକ କ୍ଷମତା ବିଶିଷ୍ଟ ଏମସିସି ବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ପ୍ରତିଷ୍ଠା କରାଯିବ । ସହରରୁ ବାହାରୁ ଥିବା ଅଳିଆକୁ ଭୁବନେଶ୍ୱର ଭିତରେ ଏମସିସିରେ ପୃଥକୀକରଣ ଓ ପକ୍ରିୟାକରଣ କରି ପରିଚାଳନା କରାଯିବ ।

ତେବେ ଡମ୍ପିଂୟାର୍ଡର ସ୍ଥାୟୀ ସମାଧାନ ପାଇଁ ବିଏମସି ନିର୍ଦ୍ଧାରିତ ସମୟ ମଧ୍ୟରେ କଣ ପଦକ୍ଷେପ ନେଉଛି, ନିୟମିତ ବ୍ୟବଧାନରେ ତାର ସମୀକ୍ଷା କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିଏମସି କମିସନର ଓ ଦାରୁଠେଙ୍ଗ ସରପଞ୍ଚଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ସମନ୍ୱୟ ବୈଠକ କରିବାକୁ କୁହାଯାଇଛି ।

ଗତ ୨୦ଦିନ ହେଲା ଦାରୁଠେଙ୍ଗବାସୀଙ୍କ ବିରୋଧ ଯୋଗୁଁ ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଅଳିଆ ଉଠିପାରୁନଥିଲା । ସହରର ଅଳିଆ ଯୋଗୁଁ ସେମାନେ କାହିଁକି କ୍ଷତି ସହିବେ ବୋଲି କହି ଭୁଆଶୁଣି ଡମ୍ପିଂୟାର୍ଡକୁ ଅଳିଆ ଗାଡିକୁ ଛାଡୁ ନଥିଲେ । ଆଉ ଏପଟେ ସହର ଭିତରେ ବଢ଼ି ଚାଲିଥିଲା ଅଳିଆ ଗଦା । ଶେଷରେ ମଙ୍ଗଳବାର ରାଜ୍ୟ ସରକାର ମୁଣ୍ଡ ପୂରାଇବା ପରେ ବିବାଦର ସମାଧାନ ହୋଇଛି । ୯ମାସ ପରେ ଅର୍ଥାତ ମେ ୨୦୨୩ ପରେ ଦାରୁଠେଙ୍ଗକୁ ଆଉ ଅଳିଆ ଯିବ ନାହିଁ ବୋଲି ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ରାଜି ହୋଇଥିଲେ ଦାରୁଠେଙ୍ଗବାସୀ । ତେବେ ଅଳିଆ ଯିବା ବନ୍ଦ ହେବା ପରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ବାୟୋମାଇନିଂ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି ।