ଝାରସୁଗୁଡାରେ ପୁଣି ଶଙ୍ଖନାଦ। ରେକର୍ଡ ଭୋଟରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ

159

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟା ପରେ, ଝାରସୁଗୁଡା ଉପ-ନିର୍ବାଚନ ଶାସକ ଦଳ ବିଜେଡି ଓ ବିରୋଧୀଙ୍କ ପାଇଁ ଏସିଡ୍ ଟେଷ୍ଟ ଭଳି ଥିଲା । ନବ ଦାସଙ୍କ ହତ୍ୟା ପାଇଁ ଶାସକ ଦଳକୁ ଦାୟୀ କରି ବିରୋଧୀ ନିର୍ବାଚନୀ ପ୍ରଚାର କରିଥିଲେ । କିନ୍ତୁ ବିରୋଧୀଙ୍କ ରଣନୀତି କାମ ଦେଇନି । ଝାରସୁଗୁଡାବାସୀ ପୁଣି ଥରେ ବିଜେଡି ଉପରେ ଭରସା କରିଛନ୍ତି । ବିଜେଡି ପ୍ରାର୍ଥୀ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଲକ୍ଷେରୁ ଅଧିକ ଭୋଟ ଦେଇ ବିଜୟୀ କରିଛନ୍ତି । ବିଜୟ ପରେ ଦୀପାଳି ଓ ମୁଖ୍ୟମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

  • ଝାରସୁଗୁଡାରେ ଶଙ୍ଖନାଦ
  • ରେକର୍ଡ ଭୋଟରେ ଦୀପାଳି ବିଜୟୀ

ଝାରସୁଗୁଡାରେ ପୁଣି ଥରେ ଶୁଭିଛି ଶଙ୍ଖନାଦ । ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡାବାସୀ ଝିଅ ଦୀପାଳି ଦାସଙ୍କ ଉପରେ ଭରସା କରିଛନ୍ତି । ୧ଲକ୍ଷ ୭ହଜାର ୧୯୮ଭୋଟ୍ ଦେଇ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜୟୀ କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ ହଜାର ୭୨୧ ଅଧିକ ଭୋଟ ପାଇଛନ୍ତି । ଯାହାକି ୨୦୧୯ରେ ନବ ଦାସଙ୍କ ବିଜୟ ବ୍ୟବଧାନଠାରୁ ଅଧିକ ।

ଉପନିର୍ବାଚନରେ ବିପୁଳ ବିଜୟ ପରେ ଝାରସୁଗୁଡାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଝାରସୁଗୁଡାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱତ କରିବା ପାଇଁ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଝାରସୁଗୁଡାରେ ବିଜେପିର ଭୋଟ ବଢ଼ିଥିଲେ ବି ବିଜୟ ପାଇଁ ଯଥେଷ୍ଟ ହୋଇନାହିଁ । ଏଥିସହ ବିଜେପି ଯେଉଁ ସବୁ ପ୍ରସଙ୍ଗ ଉଠାଇ ନିର୍ବାଚନ ଲଢ଼ୁଥିଲା, ତାହା ଭୋଟରଙ୍କୁ ଆକୃଷ୍ଟ କରିପାରନି ।

ତେବେ କାହିଁକି ହାରିଲା ଦଳ ତାର ସମୀକ୍ଷା କରାଯିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ । ଅନ୍ୟପଟେ ୨୦୧୭ ପର୍ଯ୍ୟନ୍ତ କଂଗ୍ରେସର ଗଡ ଥବା ଝାରସୁଗୁଡାରେ ଦଳ ଅମାନତ ହରାଇଛି । ହେଲେ ଏସବୁ ଭିତରେ ଝାରସୁଗୁଡା ଉପ ନିର୍ବାଚନ ଆଗାମୀ ନିର୍ବାଚନ ପାଇଁ ବିଜେଡିର ମନୋବଳକୁ ବଢ଼ାଇଥିବାବେଳେ, ବିଜେପି ଓ କଂଗ୍ରେସ ପାଇଁ ସତର୍କ ଘଣ୍ଟି ହୋଇଛି ।