ଝାରସୁଗୁଡା ଜିତିବା ପରେ ବାପାଙ୍କୁ ମନେ ପକାଇଲେ ଦୀପାଳି । କହିଲେ, ଫଳାଫଳ ପ୍ରମାଣିତ କରୁଛି ବାପାଙ୍କୁ କେତେ ଭଲ ପାଉଥିଲେ ଝାରସୁଗୁଡାବାସୀ ।

453

କନକ ବ୍ୟୁରୋ: ନିର୍ବାଚନରେ ଦୀପାଳି ବିଜୟୀ ହେବା ପରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ବାପାଙ୍କ କଥାକୁ ମନେ ପକାଇଥିଲେ ଝିଅ ଦୀପାଳି ଦାସ । ବାପାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ବାପା ନବ ଦାସ ଥିଲେ ଆଜି କେତେ ଖୁସି ହେଉଥାନ୍ତେ । ହେଲେ, ଆଜି ସେ ନାହାନ୍ତି । କିନ୍ତୁ ତାଙ୍କ ଅବର୍ତ୍ତମାନରେ ଝିଅ ଦୀପାଳୀ ଜୀବନର ଶ୍ରେଷ୍ଠ ସଫଳତା ପାଇବା ପରେ ପ୍ରଥମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିର୍ବାଚନରେ ବିଜୟୀ ହେବା ପରେ ନବ ଦାସଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି, ବାପାଙ୍କ ସ୍ମୃତି ଚାରଣ କରିଛନ୍ତି । କହିଛନ୍ତି, ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ନବ ଦାସଙ୍କୁ ଝାରସୁଗୁଡାବାସୀ କେତେ ଭଲ ପାଉଥିଲେ ।

ନବ ଦାସଙ୍କ ହତ୍ୟା ପୂର୍ବରୁ ଦୀପାଳୀଙ୍କୁ ସେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦେଖୁଥିଲେ । ଦୀପାଳିଙ୍କୁ ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରି ବାର୍ତ୍ତା ଦେବାକୁ ଚାହୁଁଥିଲେ । ପୁଅ ବିଶାଳ ରାଜନୀତିରୁ ଦୂରେଇ ବାପାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ସମ୍ଭାଳିବେ ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ନବ ଦାସଙ୍କ ହତ୍ୟା ପରେ ସେ ଚାହୁଁଥିବା କଥା ହିଁ ହୋଇଛି । କିନ୍ତୁ ଝିଅ ଦୀପାଳିର ସେହି ବିଜୟ ମୁହୁର୍ତ ଦେଖିବାକୁ ନବ ଦାସ ନାହାନ୍ତି । ଯାହାକୁ ନେଇ ପୂରା ପରିବାର ଯେତିକି ଖୁସି ହେଉଛନ୍ତି, ସେତିକି ଭାବବିହ୍ୱଳ ଅଛନ୍ତି ।

ନବ ଦାସଙ୍କ ହତ୍ୟା ପରେ, ତାଙ୍କ ପରିବାର ସମେତ ଝିଅ ଦୀପାଳି, ପୁଅ ବିଶାଳ ଭାଙ୍ଗି ପଡିଥିଲେ । କିନ୍ତୁ ଧର୍ଯ୍ୟ ହରାଇନଥିଲେ । ବାପା ଛାଡିଯାଇଥିବା ରାଜନୈତିକ ପରିବାର ଓ ବ୍ୟବସାୟିକ ସାମ୍ରାଜ୍ୟକୁ ସମ୍ଭାଳିବାକୁ ଅଣ୍ଟା ଭିଡିଥିଲେ ଭାଇ ଭଉଣୀ ।