ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଫା କଲେ ଅମଲା । ଏପଟେ ପ୍ରତିବାଦ ଯୋଗୁ ମିଳିପାରୁନି କାଗଜପତ୍ର । ୮ ଦିନ ଧରି ଜାରିରହିଛି ଅମଲାଙ୍କ ପ୍ରତିବାଦ ।

145

କନକ ବ୍ୟୁରୋ: କିରାଣୀଙ୍କ ଆନ୍ଦୋଳନକୁ ୮ ଦିନ ବିତିଲାଣି । ହେଲେ ଏ ଦିଗରେ ନିଆଯାଉ ନାହିଁ କୌଣସି ନିଷ୍ପତି । ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟରେ ସମସ୍ୟା ଦେଖିବାକୁ ମିଳୁଛି । ଅମଲାସଂଘର ପ୍ରତିବାଦ ପାଇଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

  • କଲମ ବଦଳରେ ହାତରେ ଝାଡୁ
  • ମାଲକାନଗିରିରେ ଅମଲାଙ୍କ ପ୍ରତିବାଦ

ସକାଳୁ ସକାଳୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାତରେ ଝାଡୁ ଧରି ଅମଲାଙ୍କ ସଫେଇ କାର୍ଯ୍ୟକ୍ରମ । ଦପ୍ତରରେ ଫାଇଲ, କଲମ ଧରି କାମ କରୁଥିବା ଅମଲାମାନେ ହାତରେ ଝାଡୁ ଧରି କରିଛନ୍ତି ନିଆରା ପ୍ରତିବାଦ । ଗତ ୮ ଦିନ ଧରି ଜାରି ରହିଛି ଅମଲାଙ୍କ ପ୍ରତିବାଦ । ଆଉ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି ।

  • ଡାକ୍ତରଖାନାରେ ଚାଲିଛି ରୋଗୀସେବା
  • କିନ୍ତୁ ମିଳୁନି ଜରୁରୀ କାଗଜପତ୍ର

ଅମଲାଙ୍କ ଷ୍ଟ୍ରାଇକ୍ ଯୋଗୁଁ, ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ରୋଗୀ ସେବାରେ କୌଣସି ସମସ୍ୟା ହେଉ ନାହିଁ । ମାତ୍ର କିରାଣୀଙ୍କ ପ୍ରତିବାଦ ପାଇଁ ମିଳିପାରୁନି ଜରୁରୀ କାଗଜପତ୍ର । ଜନ୍ମ ଓ ମୃତ୍ୟୁ ସାର୍ଟିଫିକେଟ୍ ମିଳିପାରୁନି କି, ଅନ୍ୟ ଆବଶ୍ୟକୀୟ ଦସ୍ତାବିଜ ମିଳିପାରୁନି ।

ସେପଟେ କୋରାପୁଟ୍ ଜିଲ୍ଲାରେ ଅମଲାସଂଘର ଆନ୍ଦୋଳନ ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉ ଥିବାରୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ତିନି ଦଳର ନେତା । ଗ୍ରେଡ୍ ପେ’ ଓ ଦରମା ବୃଦ୍ଧି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା । ଗତ ୮ ଦିନ ଧରି କିରାଣିମାନେ ସାମୁହିକ ଛୁଟି ନେଇ ସରକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ଦେଉଛନ୍ତି ।