ଚୀନରେ ସଂକ୍ରମଣ ବଢ଼ିବା ପରେ ବଢ଼ିଲା ଚିନ୍ତା: ନିୟନ୍ତ୍ରଣ ପାଇଁ ୧୩ରୁ ଅଧିକ ସହରରେ ଲକଡାଉନ ଲାଗୁ

136

କନକ ବ୍ୟୁରୋ: ମନ ଭିତରେ ପୁଣି କରୋନା ଛନକା । କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚୀନରେ ପୁଣି ଆତଙ୍କ ଖେଳାଇଛି ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ । ଓମିକ୍ରନର ନୂଆ ସବ ଭ୍ୟାରିଆଂଟ ପାଇଁ ଚୀନରେ ଏବେ ପୁଣି କରୋନା କାୟା ମେଳାଉଥିବା ବିଶେଷଜ୍ଞ କହିଛନ୍ତିି । ସେପଟେ ସ୍ଥିତିକୁ ଦେଖି ଚୀନରେ ଗୋଟେ ପରେ ଗୋଟେ ସହରରେ ଲାଗୁଛି ତାଲା ।

ଚୀନରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା । ଏଠାରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାର ନୂଆ ଭାରିଆଂଟ ଯୋଗୁଁ ସଂକ୍ରମଣ ବଢୁଥିବା କୁହାଯାଉଛି । ଗତ ୨୪ ଘଂଟାରେ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବ ସଂକ୍ରମଣ ସଂଖ୍ୟାର ଦୁଇ ଗୁଣ । ମହାମାରୀ ଆରମ୍ଭ ହେବା ପରଠୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି କୁହାଯାଉଛି । ଛୋଟ ଛୋଟ ସହରକୁ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଇଛି ।

ହଙ୍ଗକଙ୍ଗ ସବୁଠୁ ଅଧିକ ବ୍ୟାପୁଛି କରୋଦା । ଏହାକୁ ରୋକିବା ପାଇଁ କଡ଼ା ପ୍ରତିବନ୍ଧକ ଲଗାଇବା ନେଇ ସଂକେତ ମିଳିସାରିଛି । ତେବେ ହଠାତ ଏଭଳି ଦ୍ରୁତ ବେଗରେ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଓମିକ୍ରନ ଭ୍ୟାରିଆଂଟର ପ୍ରଭାବ ବୋଲି ବିଶେଷଜ୍ଞ କହିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲିନ ସହରରେ ଅସ୍ଥାୟୀ କୋଭିଡ ହସପିଟାଲ ନିର୍ମାଣ କରାଯାଇଛି । ଏହି ହସପିଟାଲରେ ୬ ହଜାର ବେଡ ସୁବିଧା ରହିଛି । କରୋନା ସଂକ୍ରମଣ ରୋକିବାକୁ ଚୀନର ବିଭିନ୍ନ ସହରରେ ଟେଷ୍ଟି ଓ ଟ୍ରିଟମେଂଟ ବ୍ୟବସ୍ଥା କରାଯାଇଛି ।
ସଂକ୍ରମଣ ହାରରେ ହଠାତ୍ ବୃଦ୍ଧି ଯୋଗୁ ଚୀନର ବହୁ ସହରରେ ଲକ୍ଡାଉନ ଘୋଷଣା କରିଯାଇଛି । ସ୍ଥିତିକୁ ଦେଖି କୋଟି କୋଟି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ସରକାର । ପ୍ରାୟ କୋଟି କୋଟି ଲୋକଙ୍କ କଟକଣା ମାନି ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଏନଏଚସି ତଥ୍ୟ ଅନୁସାରେ ଏହି ଭ୍ୟାରିଆଂଟର ପ୍ରଭାବ ସବୁଠୁ ବେଶୀ ଜିିଲିନ ସହରରେ ଦେଖିବାକୁ ମିଳିଛି ।ସୋମବାର ଏଠାରେ ୩ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିଲେ । ପୂର୍ବ ଚୀନ ଅନ୍ୟପ୍ରାନ୍ତୁକୁ କ୍ରମଶ ବ୍ୟାପୁଛି କରୋନା ସଂକ୍ରମଣ ।ଆସନ୍ତୁ ନଜର ପକାଇବା ଚୀନରେ ବର୍ତମାନ କରୋନା ସ୍ଥିତି କଣ ରହିଛି:

– ସପ୍ତାହେ ଧରି ବେଜିଂ ସମେତ ସାଙ୍ଘାଇ, ଶେନଜେନ୍, ଜିଆଙ୍ଗସୁ, ଶେଡୋଙ୍ଗ ଓ ଝାଝିଆଙ୍ଗରେ କରୋନାର ନୂଆ ସଂକ୍ରମିତ ଚିହ୍ନଟ
– ଦିନକରେ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
– ୨୦୨୧ରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୮ ହଜାର ୩୭୮
-ଚୀନରେ ଚିହ୍ନଟ କରୋନାର ନୂଆ ଭାରିଆଂଟ ଓମିକ୍ରମ ଈଇ.୨, ଯାହା ମୂଳ ରୂପରେ ଓମିକ୍ରନ ଷ୍ଟ୍ରେନ୍ ଠାରୁ ଅଧିକ ଘାତକ ବୋଲି କୁହାଯାଉଛି
– ନୂଆ ଭାରିଆଂଟରେ ସଂକ୍ରମିତ ହେଲେ ମୁଣ୍ଡ ବିନ୍ଧା, ଦେହ ଦରଜ, ଥକାପଣ ଏବଂ ଘ୍ରାଣ୍ୟ ଶକ୍ତି ଓ ପାଟିରୁ ସ୍ୱାଦ ଚାଲିଯାଉଛି
– ଓମିକ୍ରନ ନୂଆ ଭାରିଆଂଟ ଯୋଗୁ ଚୀନରେ ଏହି ଲହର ଆସିଥିବା କୁହାଯାଉଛି
– ଦେଶର ୧୩ରୁ ଅଧିକ ସହରରେ ଲକଡାଉନ୍ ଘୋଷଣା
– କୋଟି କୋଟି ସଂଖ୍ୟକ ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
– ଚୀନରେ କରୋନା ସଂକ୍ରମଣ ବଢ଼ିବା ଚତୁର୍ଥ ଲହର ଆଡ଼କୁ ଇଙ୍ଗିତ କରୁଛି
– ଚୀନର ପଡ଼ୋଶୀ ଦେଶ ହଂକଂରେ ବି କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି
– ହଂକଂରେ ଦୈନିକ ସଂକ୍ରମଣ ୩୦ହଜାର ଉପରେ ରହୁଛି

ଚୀନରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭାରିଆଂଟ ଅନ୍ୟ ଦେଶ ଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରୁଛି ।