ମୋଦୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ତେହରିକ-ଏ ହୁରିୟତ ସଂଗଠନକୁ ବେଆଇନ ଘୋଷଣା । ଘୋଷଣା କଲେ ଗୃହମନ୍ତ୍ରୀ

159

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ନେଇ ମୋଦୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀର ସଂଗଠନକୁ ଭାରତ ସରକାର ବେଆଇନ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଭାରତ ସରକାରଙ୍କର ଏହି ପଦକ୍ଷେପକୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆ ଉପ-ଆଇନ ମୁତାବକ ଏହାକୁ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି ।

ଭାରତ ସରକାରଙ୍କ କହିବା ମୁତାବକ ତେହରିକ-ଏ ହୁରିୟତ ଜାମ୍ମୁ-କାଶ୍ମୀରରେ ଗତ କିଛିବର୍ଷ ଧରି କାର୍ଯ୍ୟ କରୁଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି କି, ୟୁଏପିଏ ଅଧିନରେ ଏହି ସଂଗଠନକୁ ଏବେ ବେଆଇନ ଘୋଷଣା କରାଯାଇଛି ।

ଜାମ୍ମୁ-କାଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ଶାସନ ପ୍ରତିଷ୍ଠା କରିବା ପାଇଁ ଏହି ସଂଗଠନ ନିଷିଦ୍ଧ କାର୍ଯ୍ୟକଳାପରେ ଲିପ୍ତ ଥିଲା । ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛି ଏବଂ ଭାରତ ବିରୋଧୀ ପ୍ରଚାର କରୁଛି । ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଭାରତ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ତୁରନ୍ତ ନଷ୍ଟ କରାଯିବ ।

ତେହରିକ-ଏ-ହୁରିୟତ ଜମ୍ମୁ-କାଶ୍ମୀରରେ ସୟଦ ଅଲ୍ଲୀ ଶାହା ଗିଲାନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୨୦୦୪ ମସିହା ଅଗଷ୍ଟ ୭ ତାରିଖରେ ଗିଲାନି ତାଙ୍କ ପୂର୍ବତନ ଦଳ ଜମାତ-ଏ-ଇସଲାମି କାଶ୍ମୀର ଛାଡିବା ପରେ ଏହାର ପ୍ରତିଷ୍ଠା ହୋଇଥିଲା । ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ଅନୁଯାୟୀ କେନ୍ଦ୍ର ସରକାର କୌଣସି ସଂଗଠନକୁ ବେଆଇନ ବା ଆତଙ୍କବାଦୀ ଘୋଷଣା କରିପାରିବେ । ଏହାକୁ ପ୍ରତିବନ୍ଧକ କୁହାଯାଏ । ଗୃହମନ୍ତ୍ରଣାୟ ମୁତାବକ ବର୍ତ୍ତମାନ ଦେଶରେ ୪୩ଟି ସଂଗଠନକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଅର୍ଥାତ ସେମାନଙ୍କୁ ନିଷିଦ୍ଧ କରାଯାଇଛି । ଏଥିରେ ଅନେକ ଖଲିସ୍ତାନୀ ସଂଗଠନ, ଲସ୍କର-ଏ- ତୋଇବା, ଜୈଶ-ଏ-ମହମ୍ମଦ, ଏଲଟିଟିଇ ଏବଂ ଅଲକାଏଦା ଭଳି ୪୩ଟି ସଂଗଠନ ରହିଛି ।