ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ବଢ଼ିଲା ଚିନ୍ତା ! ଖାତା ଦେଖିବେନି ଶିକ୍ଷକ ଓ ଅଧ୍ୟାପକ, ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ନକରିବାରୁ ଆନ୍ଦୋଳନର ଚେତାବନୀ ଦେଲା ମିଳିତ ଶିକ୍ଷକ ମଂଚ
କନକ ବ୍ୟୁରୋ: ମିଳିତ ମଂଚର ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି ବୋଲି ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି । ମଂଚର ୭ ଦଫା ଦାବି ନେଇ ମାର୍ଚ୍ଚ ୮ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସରକାର ପ୍ରତିଶ୍ରୁତିି ଦେଇଥିଲେ ସୁଦ୍ଧା ସରକାର ବର୍ତମାନ ସୁଦ୍ଧା ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ ନେତାମାନେ କହିଛନ୍ତି ଯେ, ରାଜ୍ୟ ସରକାର ଦେଇଥିବା ସମୟର କଣ୍ଟ ଶେଷ ହୋଇଛି। ପୁଣିଥରେ ପ୍ରବଞ୍ଚନା ଓ ପ୍ରତାରଣାର ଶିକାର ହୋଇଛନ୍ତି ଶିକ୍ଷକ ଓ ଅଧ୍ୟାପକ। ମାଟ୍ରିକ ପରୀକ୍ଷାରେ ସହଯୋଗ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଳିତ ମଞ୍ଚ ଆନ୍ଦୋଳନରୁ ଓହରିଥିଲା । ମାଟ୍ରିକ ପରୀକ୍ଷାରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ଶିକ୍ଷକ । ଅଧ୍ୟାପକମାନେ ମଧ୍ୟ ଯୁକ୍ତ୨ ପରୀକ୍ଷାରେ ସହଯୋଗ କରୁଛନ୍ତି । ସୁରୁଖୁରରେ ଉଭୟ ପରୀକ୍ଷା ହୋଇଛି। ଏଭଳି ସମୟରେ ସରକାରଙ୍କ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଛି । ମାର୍ଚ୍ଚ ୯ ସୁଦ୍ଧା ଦାବି ପୂରଣ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଥିଲା । ହେଲେ ସେଭଳି କରାଗଲା ନାହିଁ । ବରଂ ଗତ ୧୧ ତାରିଖରେ ମିଳିତ ମଞ୍ଚର ଦାବି ପୂରଣ ନେଇ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ କୌଣସି ପ୍ରକାର ନିଷ୍କର୍ସ ବାହାରିପାରିଲା ନାହିଁ । ତେଣୁ ମଞ୍ଚ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ।
ମାର୍ଚ୍ଚ ୨୦ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ଖାତା ଦେଖା ବର୍ଜନ କରାଯିବ। ଶିକ୍ଷକମାନେ ଖାତା ଦେଖାରେ ସାମିଲ ହେବେ ନାହିଁ । ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଉତ୍ତର ଖାତା ମୂଲ୍ୟାୟନକୁ ବି ଅଧ୍ୟାପକମାନେ ବର୍ଜନ କରିବେ । ପ୍ରାୟ ୮୦ ହଜାର ଶିକ୍ଷକ ଓ ଅଧ୍ୟାପକ ଖାତା ମୂଲ୍ୟାୟନରେ ସାମିଲ ହେବେ ନାହିଁ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଦରକାର ପଡ଼ିଲେ ପୁଣିଥରେ ଶିକ୍ଷକ, ଅଧ୍ୟାପକଙ୍କ ମହାସମାବେଶ ଅନୁଷ୍ଠିତ ହେବ ବୋଲି ଆବାହକ ମଣ୍ଡଳୀ ସଦସ୍ୟମାନେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଅନାବଶ୍ୟକ ସତ୍ୟପାଠ ଉଠାଇବା, ୪୦, ୬୦ ଓ ୭୫ ପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଲାଗି ବିଜ୍ଞପ୍ତି, ବିଦ୍ୟାଳୟ ଓ କଲେଜ ଶିକ୍ଷକ, କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ, ଚାକିରି କାଳକୁ ୬୨ ବର୍ଷକୁ ବୃଦ୍ଧି ପରି ଦାବି ନେଇ ଫେବ୍ରୁଆରି ୬ରୁ ୫୦ ହଜାର ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ପୁରୀରୁ ପଦଯାତ୍ରାରେ ବାହାରି ଭୁବନେଶ୍ୱର ଆସିଥିଲେ। ସମାବେଶ ପରେ ଦାବି ପୂରଣ ନେଇ ଫେବ୍ରୁଆରି ୯,୧୪ ଓ ୧୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା।