ସରକାରଙ୍କ ବିରୋଧରେ ଶିକ୍ଷକଙ୍କ ଗର୍ଜନ ଜାରି : କହିଲେ, ସପ୍ତମ ବେତନ କମିଶନ ପାଇଁ ଅଛି ଟଙ୍କା , ହେଲେ ଶିକ୍ଷକଙ୍କ ପାଇଁ କାହିଁକି ନୁହେଁ

24

କନକ ବ୍ୟୁରୋ : ରାଜରାସ୍ତାରେ ଶିକ୍ଷକ । ନବମ ଦିନରେ ପହଂଚିଲାଣି ଆନ୍ଦୋଳନ । ରାତି-ଦିନ ରାଜଧାନୀର ରାଜରାସ୍ତାରେ ପଡ଼ିଛନ୍ତି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ । ୪ ହଜାର ସ୍କୁଲ ଓ ୧୫ ଶହ କଲେଜରେ ଦୁଇ ଦିନ ହେଲା ତାଲା ଝୁଲିଲାଣି । ପିଲାଙ୍କ ପାଠପଢ଼ା ଠପ୍ ହୋଇଗଲାଣି ।

ଏପଟେ ଆନ୍ଦୋଳନରତ ଶିକ୍ଷକ-କର୍ମଚାରୀଙ୍କ ଯୁକ୍ତି ହେଉଛି ସପ୍ତମ ବେତନ କମିଶନ ବାବଦରେ ସରକାର ବର୍ଷକୁ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବା ବେଳେ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ କାହିଁକି ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜି ହେଉନାହାନ୍ତି?

ସେପଟେ ମନ୍ତ୍ରୀ ବାଢ଼ିଛନ୍ତି ଅଜବ ଯୁକ୍ତି । କହିଛନ୍ତି- କେବଳ ଶିକ୍ଷକଙ୍କୁ ଦରମା ଦେଇଦେଲେ ରାଜ୍ୟର ଉନ୍ନତି ହେବ ନାହିଁ । ଶିକ୍ଷକ-ଅଧ୍ୟାପକ କର୍ମଚାରୀଙ୍କୁ ଦୀର୍ଘ ଦିନ ଧରି ଦିଆଯାଉଥିବା ବ୍ଲକ୍-ଗ୍ରାଂଟ୍ ପରିବର୍ତ୍ତେ ଗ୍ରାଂଟ୍-ଇନ୍-ଏଡ୍ ବା ପୂର୍ଣ୍ଣ ଅନୁଦାନ ଦିଆଗଲେ, ରାଜକୋଷରୁ ପ୍ରାୟ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ରାଜ୍ୟର ସରକାରୀ ହାଇସ୍କୁଲରେ ୩୫ ବର୍ଷ କାମକଲା ପରେ ସରକାରୀ ଶିକ୍ଷକ, ଦରମା ଓ ଅନ୍ୟାନ୍ୟ ଭତ୍ତାକୁ ମିଶାଇ ମାସକୁ ୫୫ ହଜାର ଟଙ୍କା ପାଉଥିବା ବେଳେ, ବ୍ଳକ୍ ଗ୍ରାଂଟ୍ ଶିକ୍ଷକମାନେ ମାତ୍ର ୧୬ ହଜାର ଟଙ୍କାରେ କାମ କରୁଛନ୍ତି ।

ୟୁଜିସି ସ୍କେଲର  ଅଧ୍ୟାପକମାନେ ମାସିକ ୧ ଲକ୍ଷ ୨୦ ହଜାର ଟଙ୍କା ପାଉଥିବାବେଳେ ରାଜ୍ୟ-ସ୍କେଲ୍ର ଅଧ୍ୟାପକମାନେ ୫୫ ହଜାର ଟଙ୍କା ଦରମା ପାଉଛନ୍ତି । ହେଲେ ବ୍ଲକ୍ ଗ୍ରାଂଟ୍ ଅଧ୍ୟାପକମାନେ ମାସିକ ମାତ୍ର ୧୮ ହଜାର ଟଙ୍କାରେ କାମ କରୁଛନ୍ତି । ଆଂଶିକ ଅନୁଦାନ ହଟାଇଲେ, ୧୮ ହଜାର ଟଙ୍କା ପାଉଥିବା ଅଧ୍ୟାପକମାନେ ୫୫ ହଜାର ଟଙ୍କା ପାଇବେ ।