“ମୁଁ ପୁଣି ଏକଛତ୍ରବାଦ ହୋଇଯିବି” ଜାଣନ୍ତୁ କର୍ମଚାରୀଙ୍କୁ କାହିଁକି ଏଭଳି ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

307

କନକ ବ୍ୟୁରୋ : ନିଜର ନିଆରା ନିର୍ଣ୍ଣୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ । ହେଲେ ଏବେ ସେ ରାଜ୍ୟର କର୍ମଚାରୀଙ୍କୁ ଏଭଳି କିଛି ଚେତାବନୀ ଦେଇଛନ୍ତି କି ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ରାଜ୍ୟ କର୍ମଚାରୀଙ୍କୁ ଚେତାବନୀ ଦେଇ କହିଛନ୍ତି କି, ମୋତେ ନରମ ମୁଖ୍ୟମନ୍ତ୍ରୀ ଭାବ ନାହିଁ , ମୁଁ ଇମାନଦାର କର୍ମଚାରୀଙ୍କ ପାଇଁ ନରମ ହୋଇପାରେ ହେଲେ ଯଦି କୌଣସି କର୍ମଚାରୀ ଡ୍ରଗ୍ସ କାରବାରରେ ସାମିଲ ଥିବା ପ୍ରମାଣ ମିଳିବ ତେବେ ସେମାନଙ୍କ ପାଇଁ ପୁଣି ମୁଁ ଏକଛତ୍ରବାଦୀ ହୋଇଯିବି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଡ୍ରଗ୍ସ କାରବାର ଉପରେ ରୋକ୍ ଲଗାଇବାକୁ ଅନୁଷ୍ଠିତ ଏକ ବୈଠକରେ ଏଭଳି କହିଛନ୍ତି ।

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟରେ ଡ୍ରଗ୍ସ କାରବାର ରୋକିବା ଓ ଏଥିରେ ସାମିଲ ଥିବା ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟାଲିନ ଆହୁରି କହିଛନ୍ତି କି ନିଶା ଆମ ପିଲାମାନଙ୍କ ନଷ୍ଟ କରିବା ସହ ପୁରା ସମାଜକୁ ନଷ୍ଟ କରିଦେବ । ଏଣୁ ଏଥିରେ ସଂପୃକ୍ତ ଥିବା ଲୋକମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେପଟେ ରାଜ୍ୟରେ ଚୋରା ନିଶା କାରବାର ରୋକିବାକୁ ପ୍ରତି ଜିଲ୍ଲାରେ ଡିଏସପିଙ୍କ ଅଧ୍ୟକ୍ଷତାରେ ଏକ ନାର୍କୋଟିକ ଇଣ୍ଟେଲିଜେନ୍ସ ବ୍ୟୁରୋ ଖୋଲାଯିବ । ଏହାସହ ଅନ୍ୟ ରାଜ୍ୟରୁ ଚୋରା ଡ୍ରଗ୍ଦ ଆଣି ତାମିଲନାଡୁରେ କାରବାର କରୁଥିବା ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ଲୋକଙ୍କ ସାମ୍ନାକୁ ଆଣିବାକୁ ପଡିବ । ଏହାସହ ଏଭଳି କାରବାରରେ ଯେଉଁ କର୍ମଚାରୀମାନେ ସାମିଲ ଥିବାର ପ୍ରମାଣ ମିଳିବ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଷ୍ଟାଲିନ କହିଛନ୍ତି ।