ଯିଏ ଢାଞ୍ଚା ତିଆରି ଜାଣିଛି, ସିଏ ଭଲ ମୂର୍ତ୍ତି ବି କରିପାରିବ । ସୁଯୋଗ ମିଳିଛି, ଗୋଲ କରିବୁ : ଜୟନାରାୟଣ ମିଶ୍ର

157

କନକ ବ୍ୟୁରୋ : ବିଜେପି ପାଇଁ ସୁଯୋଗ ସୃଷ୍ଟି ହୋଇଛି, ଆଉ ଆମେ ତାହାର ଫାଇଦା ନେବୁ, ଗୋଲ କରିବୁ । ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଗୁରୁମନ୍ତ୍ର ପରେ ଗଣମାଧ୍ୟମ ସାମ୍ନାରେ କିଛି ଏଭଳି ଦୃଢୋକ୍ତି ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଓଡିଶାକୁ ଭାରତୀୟ ଜନତା ପାର୍ଟି ତାର ଫୋକସ ରଖିଛି । ବଂଶଲ ଜଣେ ସଫଳ ସଂଗଠକ, ଉତ୍ତର ପ୍ରଦେଶରେ ବିଜେପି ଦୁଇ ଦୁଇ ଥର ସରକାର ଗଠନ କରିବାରେ ତାଙ୍କର ବଡ଼ ଅବଦାନ ରହିଛି । ବଂଶଲ ଓଡିଶାରେ ସଂଗଠନର ମାର୍ଗଦର୍ଶନ କରିବେ ଏବଂ ତାଙ୍କ ଯୋଜନା ଅନୁଯାୟୀ ଦଳ ଆଗକୁ ବଢିବ ଏବଂ ବିଜେପି ରାଜନୈତିକ ସଫଳତା ପାଇବ । ସେହି ଲକ୍ଷ୍ୟରେ ତାଙ୍କୁ ଅଣାଯାଇଛି ବୋଲି କହିଛନ୍ତି ଜୟନାରାୟଣ ।

ବଂଶଲ ଆସିଲେ ସବୁ କିଛି କରିଦେବେ ବୋଲି କହୁନାହିଁ କିନ୍ତୁ ଗୋଟେ ପଲିସି କରିପାରିବେ, ଢାଞ୍ଚା ତିଆରି କରିପାରିବେ, ସେଥିରେ ଯେଉଁ ମାଟି ପକାଇବ ସେ ମୂର୍ତ୍ତି ତିଆରି ହେବ । ଯିଏ ଢାଞ୍ଚା ତିଆରି ଜାଣିଛି ସେ ଭଲ ମୂର୍ତ୍ତି ବି ତିଆରି କରିପାରିବ । ଫୁଟବଲ ଖେଳରେ ପ୍ରଥମରୁ ଆକ୍ରମଣ କିଏ କରିବ କିଏ ନ କରିବ ତାହା ଦଳର ଷ୍ଟ୍ରାଟେଜି ଉପରେ ନିର୍ଭର କରେ । କିଏ ପ୍ରଥମରୁ ଆକ୍ରମଣ କରେ ତ ପୁଣି କିଏ ସୁଯୋଗ ଅପେକ୍ଷାରେ ଥାଏ । ତେବେ ଗୋଲ କରିବାକୁ ସୁଯୋଗ ମିଳିଲେ ଆକ୍ରମଣକୁ ଜୋରଦାର କରିବା ଆବଶ୍ୟକ । ଆଉ ଏବେ ଆମ ପାଖକୁ ଗୋଲ କରିବାର ସୁଯୋଗ ଆସିଛି , ନିଶ୍ଚୟ ଗୋଲ ମାରିବୁ ଆଉ ଏଥିରେ କୋଚର ଭୂମିକା ବହୁତ ଗୁରୁତ୍ୱପୁର୍ଣ, କାରଣ କୋଚ ହିଁ ଷ୍ଟ୍ରାଟେଜି ତିଆରି କରିବ, ଆମେ କେଉଁ ମାଧ୍ୟମରେ ଖେଳିବୁ କୋଚ ନିଷ୍ପତ୍ତି ନେବେ ।

ଏହାସହ ବିଜେପି ଚାଣକ୍ୟଙ୍କ ଗୁରୁମନ୍ତ୍ର ବାବଦରେ ଜୟନାରାୟଣ କହିଛନ୍ତି, ଅମିତ ଶାହାଙ୍କ ତାଗିଦ ବିଷୟରେ ଜାଣିନି, କିନ୍ତୁ ସଫଳ ସଂଗଠନ ପାଇଁ ମନ୍ତ୍ର ଦେଇଛନ୍ତି । ତାଙ୍କ କଥା ଅନୁସାରେ ସଙ୍ଗଠନକୁ ଆହୁରି ସୁଦୃଢ ଓ ଶକ୍ତିଶାଳୀ କରିବୁ । ତିନି ବର୍ଷ ଭିତରେ ଯାହା ହୋଇଥିଲା ଆଉ ଦୁଇ ବର୍ଷରେ ତାକୁ ବ୍ୟାପକ ଭାବେ କରିବୁ । ଲୋକଙ୍କ ଆସ୍ଥା ଭାଜନ ହେବାସହ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଶାହା ମନ୍ତ୍ର ଦେଇଥିବା କହିଛନ୍ତି ଜୟନାରାୟଣ । ଏହାପୂର୍ବରୁ ଓଡ଼ିଶା ଗସ୍ତରେ ଆସି ଅମିତ ଶାହା ଯେଉଁ ବୟାନ ରଖିଥିଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହୋଇଥିଲା । କାରଣ ଓଡ଼ିଶାରେ ଶାସନ କ୍ଷମତାକୁ ବିଜେପି ଫେରିବ ବୋଲି ଶାହା ଦମ୍ଭ ସହକାରେ କହିଥିଲେ । ଯାହା ତୃଣମୂଳସ୍ତରରେ ବିଜେପି କର୍ମୀଙ୍କ ମନରେ ଜୋଶ ଭରିଛି ଓ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ସୁଦୃଢ କରିବାକୁ ବଳ ଯୋଗାଇଛି । ତେବେ ଶାହା ଓ ଜୟନାରୟଣଙ୍କ ଦମ୍ଭୋକ୍ତି ଭୋଟରଙ୍କୁ କେତେ ମାତ୍ରାରେ ପ୍ରଭାବିତ କରି ପାରୁଛି ତାହା ଦେଖିବା ବାକି ରହିଲା ।