ଦିବ୍ୟାଙ୍ଗ ଭଉଣୀର ସେବାରେ ବିତିଲାଣି ୪୦ ବର୍ଷ । ଭଉଣୀକୁ ସୁରକ୍ଷା ଦେବାକୁ ଅବିବାହିତ ରହିଗଲେ ଭାଇ ।

206

କନକ ବ୍ୟୁରୋ: ଏ ସମ୍ପର୍କ ସ୍ନେହର, ଶ୍ରଦ୍ଧାର, ଭଲପାଇବାର… ଏ ସମ୍ପର୍କ ରାଗ, ରୁଷା. କଳି, ଝଗଡାର । ଏ ସମ୍ପର୍କ ତ୍ୟାଗର, ଏ ସମ୍ପର୍କ ତୋର- ମୋର… ଭାଇଟିଏ ଭଉଣୀ ସହ ଯେତେ ଝଗଡା କରୁ, ଯେତେ କଳି କରୁ ଦୁହେଁ ଦୁହିଁଙ୍କୁ ସେତେ ଅଧିକ ଭଲପାଆନ୍ତି । ଜୀବନଠୁ ବେଶି ଯତ୍ନ ନିଅନ୍ତି । ଭାଇ ହାତରେ ଉଭଣୀ ସ୍ନେହର ଡୋର ବାନ୍ଧିଦେଲା ବେଳେ ତାକୁ ସବୁ ବିପଦେ ଆପଦେ ସାହା ହେବାକୁ ଅନୁରୋଧ କରେ । ଆଉ ଭାଇ ବି ଭଉଣୀକୁ ସୁରକ୍ଷା ଦେବାକୁ ସଙ୍କଳ୍ପ କରେ, ପ୍ରତିଜ୍ଞା ନିଏ… ଆପଣ ଭାବୁଥିବେ ଏ କଥା କେବଳ କାହାଣୀ କିମ୍ବା ଗପରେ କି ସମ୍ବାଦପତ୍ରରେ ଲେଖିବାକୁ ଭଲ ଲାଗେ । କିନ୍ତୁ ନା, ଏମିତି କାହାଣୀ ସତ ଜୀବନରେ ସମ୍ଭବ । ଆଉ ସେ କାହାଣୀ ଶୁଣିଲେ ଜଣେ ଭାଇର ଭଉଣୀ ପ୍ରତି ଥିବା ତ୍ୟାଗକୁ ଆପଣ ସାଲ୍ୟୁଟ୍ ନକରି ରହିପାରିବେନି ।

ଇଏ ହେଉଛନ୍ତି ରାଜି ମହାପାତ୍ର । ଆଉ ଇଏ ତାଙ୍କ ଭାଇ ଶିବ ମହାପାତ୍ର । ରାଜିଙ୍କ ବୟସ ୪୦ ପାଖପାଖି ହେବ ଆଉ ଶିବଙ୍କୁ ୫୬ ଛୁଇଁଲାଣି । କୋରାପୁଟ ଜିଲ୍ଲା ଆମ୍ବାଗୁଡା ଗାଁର ଏ ଭାଇଭଉଣୀଙ୍କ ଅନାବିଳ ସ୍ନେହ ଏବେ ଦୁହିଁଙ୍କୁ ଚର୍ଚ୍ଚିତ କରିଛି । ପରିବାର ବୋଲି କେହି ନାହିଁ । ବାପାମାଆ ଆରପାରିରେ । ଭଉଣୀ ଦିବ୍ୟାଙ୍ଗ । ନା ଚାଲିପାରୁଛନ୍ତି ନା ଉଠିପାରୁଛନ୍ତି । ଭାଇ ହିଁ ସାଜିଛନ୍ତି ଏ ଦିବ୍ୟାଙ୍ଗ ଭଉଣୀର ଏକମାତ୍ର ସାହାରା । ଆଜି କି କାଲି ନୁହେଁ ଦୀର୍ଘ ୪୦ ବର୍ଷ ହେବ ଭଉଣୀର ସେବାରେ ଜୀବନ ବିତାଇ ଦେଇଛନ୍ତି ଭାଇ । ଏମିତି ସେ ସାରା ଜୀବନ ଅଭିବାହିତ ବି ରହିଛନ୍ତି । କାଳେ ବିବାହ କଲେ ଭଉଣୀ ଅବହେଳା ହୋଇଯିବ ତେଣୁ ଆଜି ଯାଏଁ ବାହା ହୋଇ ନାହାନ୍ତି ଶିବ ।

ରାକ୍ଷୀ ବାନ୍ଧିବା ବେଳେ ଭଉଣୀର ଭଲମନ୍ଦ, ସୁଖଦୁଃଖ ଓ ସୁରକ୍ଷା ଦେବାର ସଙ୍କଳ୍ପ ନେଇଥିବା ଭାଇ ଭଉଣୀର ସବୁ କାମ କରୁଛନ୍ତି । ପୂଜାପାଠ କରି ଯାହା ରୋଜଗାର ହୁଏ ସେଥିରେ ଦୁହେଁ ଚଳନ୍ତି । ନହେଲେ ଭଉଣୀଙ୍କୁ ମିଳୁଥିବା ଭତ୍ତ ଓ ଚାଉଳରେ ଚଳିଯାଆନ୍ତି । ସକାଳ ହେଲା ଠାରୁ ରାତି ହେବା ଯାଏଁ ଭଉଣୀକୁ ଖୁଆଇବା, ପିଆଇବା, ଗାଧୋଇଦେବା, ମୁଣ୍ଡ କୁଣ୍ଡାଇଦେବା ଠାରୁ ହ୍ୱିଲ ଚେୟାରରେ ବୁଲାଇ ଆଣନ୍ତି ଶିବରାମ ।

ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ଭାଇ ଉଉଣୀ ପଡିରହିଛନ୍ତି ସତ, ଭାତ ଡାଲମାରେ ସେମାନଙ୍କ ପେଟ ପୂରୁଛି ସତ ହେଲେ ସେମାନଙ୍କ ଭିତରେ କମୁନି ଭଲପାଇବା । ଆଜବେଷ୍ଟ ଘରେ ଦିବ୍ୟାଙ୍ଗ ଭଉଣୀର ଜୀବନ ବିତୁଛି ସତ । ହେଲେ ସେ ନିର୍ଭୟରେ, ନିଶଙ୍କୋଚରା ବାକିତକ ଜୀବନ ଜିଇଁଯାଉଛି । କାରଣ ତା ଭାଇ ତା ପାଖରେ ଅଛି, ତାକୁ ସୁରକ୍ଷା ଦେଉଛି । ତା ପାଇଁ ସେ ଅବିବାହିତ ରହିଛି । ସତରେ ଏମିତି ଭାଇ, ଭଉଣୀ ଆଖିରେ ଭଗବାନ ।