ନୀତିଶଙ୍କ ପରେ ଓଡ଼ିଶା ଆସିପାରନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ମୁଖ୍ୟମନ୍ତ୍ରୀଙ୍କ ସହ କରିପାରନ୍ତି ଆଲୋଚନା । କ’ଣ ହେବ ନବୀନଙ୍କ ଆଭିମୁଖ୍ୟ?

309

କନକ ବ୍ୟୁରୋ: ମମତା ବାନାର୍ଜୀ, ନୀତିଶ କୁମାର ଓ ଷ୍ଟାଲିନ, ବିରୋଧୀ ମଞ୍ଚର ୩ ବରିଷ୍ଠ ନେତା । ଆଉ ଏହି ୩ ଜଣ ନେତା ଜାତୀୟ ରାଜନୀତିରେ ବିରୋଧୀ ଏକତାର ବଡ ନେତା । ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦୀଙ୍କୁ ଟକ୍କର ଦେବା ପାଇଁ ମହାମେଣ୍ଟର ମହା ଅଭିଯାନ ଆରମ୍ଭ ହୋଇଛି । ଏହି ମେଣ୍ଟରେ ବିଜେଡିକୁ ସାମିଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହିକ୍ରମରେ କୁହାଯାଉଛି ଷ୍ଟାଲିନ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ।

  • ନୀତିଶଙ୍କ ପରେ ନବୀନଙ୍କୁ ଭେଟିବେ ଷ୍ଟାଲିନ!
  • ଖୁବଶୀଘ୍ର ଓଡିଶା ଆସିପାରନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଜାତୀୟ ରାଜନୀତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବଦବା ବଢିବାରେ ଲାଗିଛି । ନବୀନଙ୍କୁ ବିରୋଧୀ ମେଣ୍ଟରେ ସାମିଲ କରିବାକୁ ଜଣକ ପରେ ଜଣେ ନେତା ଉଦ୍ୟମ ଆରମ୍ଭ କଲେଣି । ଚର୍ଚ୍ଚା ଅନୁସାରେ, ଏହି ମାସରେ ଓଡିଶା ଆସିପାରନ୍ତି ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ । ଆଉ ଏ ସବୁ ଭିତରେ ନୀତିଶଙ୍କୁ ଭେଟିବାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ସନ୍ଧ୍ୟାରେ ନବୀନ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ତେଣୁ ଜାତୀୟ ରାଜନୀତିରେ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନତୈିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି । ସେପଟେ ବିଜେଡି କହିଛି, ନବୀନଙ୍କ ଏଜେଣ୍ଡା ସ୍ପଷ୍ଟ ରହିଛି । ୨୦୦୯ ପରଠାରୁ ବିଜେଡିର ସମଦୂରତ୍ୱ ନୀତି ବଜାୟ ରହିଛି । ବିଜେପି କହିଛି, ନବୀନ ଯଦି ତୃତୀୟ ସାମ୍ମୁଖ୍ୟକୁ ଯିବାର ଅଛି, ତାହାହେଲେ ଘୋଷଣା କରିବାର ସତସାହସ ରଖନ୍ତୁ ।

  • କ’ଣ ହେବ ନବୀନଙ୍କ ଆଭିମୁଖ୍ୟ?
  • ମେଣ୍ଟ ଆଡକୁ ଢଳିବେ କି ବିଜେଡି଼ ସୁପ୍ରିମୋ?

ଗତମାସରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱର ଆସି ନବୀନଙ୍କୁ ଭେଟିଥିଲେ । ଏବେ ଷ୍ଟାଲିନଙ୍କୁ ନେଇ ଚର୍ଚ୍ଚା ଉଠିଥିବାବେଳେ ଏହା ମଧ୍ୟ କୁହାଯାଉଛି , ମୋଦିଙ୍କ ଦୃଢ ବିରୋଧୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆଗ୍ରହୀ ଅଛନ୍ତି । ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମେଣ୍ଟ ଗଠନ ଉଦ୍ୟମ ଜୋର ଧରିଛି । ପ୍ରଶ୍ନ ଉଠୁଛି, ନବୀନ କେଉଁ ଆଡକୁ ଢଳିବେ ନା ସମଦୂରତା ନୀତି ବଜାୟ ରଖିବେ?