ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ଉନ୍ନତି ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ଅପରାଜିତାଙ୍କ ଟ୍ୱିଟ୍ । ବିଜେଡି କଲା ତାତ୍ସଲ୍ୟ

376

କନକ ବ୍ୟୁରୋ: ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରର ଉନ୍ନତିକରଣକୁ ନେଇ କିଏ ନେବ ଶ୍ରେୟ? ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଦାୟିତ୍ୱ ଏଏସଆଇକୁ ଦିଆଯିବା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ ଟ୍ୱିଟ୍ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଲେଖିଛନ୍ତି ସେ ପୂର୍ବରୁ ଏଥିପାଇଁ ଚିଠି ଲେଖିଥିଲେ ଏବଂ ମେ’ ୫ ତାରିଖରେ କପିଳେଶ୍ୱର ମନ୍ଦିରକୁ ଏଏସଆଇ ଅଧୀନକୁ ଆଣିବା ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତା ପରେ ଏହି ପ୍ରସଙ୍ଗରେ ଏଣ୍ଟ୍ରି କରିଛନ୍ତି ଅଶୋକ ପଣ୍ଡା ଆଉ ଆରମ୍ଭ ହୋଇଛି ବୟାନବାଜୀ ।

  • କପିଳେଶ୍ୱର ମନ୍ଦିରକୁ ନେଇ ଶ୍ରେୟ ରାଜନୀତି
  • ଧର୍ମେନ୍ଦ୍ରଙ୍କ ଚିଠି ପରେ ଅପରାଜିତାଙ୍କ ଟ୍ୱିଟ୍

ମନ୍ଦିର ମାଳିନୀ ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମନ୍ଦିରର ଉନ୍ନତିକରଣକୁ ନେଇ ବିଜେପି ଭିତରେ ଦେଖିବାକୁ ମିଳିଛି ଦ୍ୱନ୍ଦ । ମଙ୍ଗଳବାର କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତିର ଦାୟିତ୍ୱ ଏଏସଆଇକୁ ଦିଆଯିବା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଧର୍ମେନ୍ଦ୍ର ଲେଖିଥିଲେ ସପ୍ତମ ଶତାଦ୍ଧୀର ଏହି ମନ୍ଦିର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ଅବହେଳିତ । ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବରୁ ମନ୍ଦିର ଢାଞ୍ଚାର ଅବକ୍ଷୟ ଘଟିଛି ।

ତେବେ ଧର୍ମେନ୍ଦ୍ରଙ୍କ ଚିଠିର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଟ୍ୱିଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟ୍ୱିଟରେ ଉଲ୍ଲେଖ କରିଥିଲେ, ଏପ୍ରିଲ ୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ସେ ଚିଠି ଲେଖିଥିଲେ ଏବଂ ମେ’ ୫ ତାରିଖରେ କପିଳେଶ୍ୱର ମନ୍ଦିରକୁ ରାଷ୍ଟ୍ରୀୟ ମହତ୍ୱ ଘୋଷଣା କରିବା ସହ ଏଏସଆଇ ଅଧୀନକୁ ଆଣିବା ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛି ବିଜେଡି ।

ଏପଟେ ରାଜ୍ୟର ପୂର୍ବତନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଭୁବନେଶ୍ୱର-ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି ୨୦୨୦ରୁ ରାଜ୍ୟ ପ୍ରତ୍ନତାତ୍ୱିକ ବିଭାଗ ଅଧୀନକୁ ଯାଇଛି କପିଳେଶ୍ୱର ମନ୍ଦିର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଭିତରେ ୮୫ ଲକ୍ଷ ଟଙ୍କା ମନ୍ଦିରର ଉନ୍ନତି ଲାଗି ଖର୍ଚ୍ଚ ହୋଇଛି । ହେଲେ କପିଳେଶ୍ୱର ମନ୍ଦିରକୁ ଦେଖିଲେ, ଦୃଶ୍ୟମାନ ହେଉନାହିଁ ଉନ୍ନତି । ମନ୍ଦିର ଏବଂ ପାଚେରୀରେ ଗଛ ଉଠିଯାଇଛି । ମନ୍ଦିର ଭିତରେ ବର୍ଷାପାଣି ପଡୁଥିବାର ଅଭିଯୋଗ ଆଣିଛନ୍ତି ମନ୍ଦିର ସେବାୟତ ।