ପ୍ରାର୍ଥୀପତ୍ର ଦାଖଲ କଲେ ସୁରମା ପାଢୀ । ସମ୍ବିତ ପାତ୍ର ଏବଂ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ସହ ଯାଇ କଲେ ନାମାଙ୍କନ ।

158

କନକ ବ୍ୟୁରୋ: ରଣପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁରମା ପାଢୀ । ନିର୍ବାଚନ ଅଧିକାରୀ ତଥା ନୟାଗଡ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ବଳଙ୍କ ନିକଟରେ ୨ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁରମା । ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ ବିଧାନସଭା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ନୟାଗଡ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନାମାଙ୍କନ ଭରିଛନ୍ତି ସୁରମା । ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ରହିଥିବା ସୁରମା ପରବର୍ତ୍ତୀ ୩ଟି ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ପୁଣିଥରେ ଦଳ ତାଙ୍କ ଉପରେ ଭରଷା କରିଛି । ଲୋକେ ଏଥର ପରିବର୍ତନ ମାନସିକତାରେ ରହିଥିବା ସୁରମା କହିଛନ୍ତି ।

ଅନ୍ୟପଟେ ବୌଦ୍ଧ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ଆସନରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ବୌଦ୍ଧ ସହରରେ ଥିବା ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାଲିରେ ବାହାରି ନାମାଙ୍କନ ଦାଖଲ ପାଇଁ ଯାଇଥିଲେ । ବିଜେପି ଏହି ଦୁଇ ଆସନରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦୁଇ ପ୍ରାର୍ଥୀ ।