୩୭୦ ଧାରା ଉଚ୍ଛେଦ ନେଇ ସୁପ୍ରିମକୋର୍ଟରେ ଶୁଣାଣି: ଜବାବ ରଖିବା ପାଇଁ କେନ୍ଦ୍ରକୁ ୨୮ ଦିନର ମହଲତ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣୀ

165

କନକ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ଆବେଦନ ଉପରେ ଜବାବ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ୨୮ ଦିନ ମହଲତ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନକୁ ସ୍ୱତନ୍ତ୍ର ସାମ୍ବିଧାନିକ ବେଂଚ ନିକଟକୁ ପଠାଇଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ।

ବିଚାରପତି ଏମ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ କାଶ୍ମୀର ସମ୍ପର୍କିତ ସବୁ ମାମଲାର ଶୁଣାଣୀ କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ୨୮ ଦିନ ଭିତରେ କେନ୍ଦ୍ର ସରକାର ଏ ସଂପର୍କରେ ଜବାବ ରଖିବେ, ଏବଂ ନଭେମ୍ବର ୧୪ ତାରିଖରେ ଏହି ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ପରବର୍ତୀ ଶୁଣାଣୀ କରିବେ । ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତି ମାନେ ହେଲେ ଏସ୍ କେ. କାଉଲ, ଆର ସୁବାଷ ରେଡ୍ଡୀ, ବି.ଆର ଗଭାଇ ଏବଂ ସୂର୍ଯ୍ୟ କାନ୍ତା ।

ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇଥିଲା । ଏହାସହ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇଥିଲା ଜମ୍ମୁ ଓ କାଶ୍ମୀର । ଜମ୍ମୁ କାଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରାଯାଇଥିଲା । ଏହାପରେ ଜମ୍ୁ ଓ କାଶ୍ମୀରରେ ବିଭିନ୍ନ ଜାଗାରେ କଟକଣା ଲଗାଯାଇଛି । ଏହାସହ ସେଠାକାର କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ନଜରବନ୍ଦୀ ରଖାଯାଇଛି । ଏସବୁ ପ୍ରସଙ୍ଗ ନେଇ ଜମ୍ମୁ କାଶ୍ମୀର ସମେତ ଦେଶର କିଛି ନେତା, ସାମ୍ବାଦିକ ଓ ଶିକ୍ଷାବିତ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।