ବଲିଉଡର ଏହିସବୁ ସିନେମା, ଯାହା ଦେଖାଇଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କର କାହାଣୀ

230

କନକ ବ୍ୟୁରୋ : ସନି ଦେଓଲ ଓ ଅମୀଷା ପଟେଲଙ୍କ ନୂଆ ସିନେମା ଗଦର-୨କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ବକ୍ସ ଅଫିସରେ ମଧ୍ୟ ଏହା ଭଲ ରୋଜଗାର କରିବା ଆରମ୍ଭ କରିଛି । ଏହି ସିନେମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ଦେଖିବାକୁ ମିଳିଛି । ହେଲେ ଗଦର-୨ କେବଳ ଗୋଟିଏ ସିନେମା ନୁହେଁ ବରଂ ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କକୁ ନେଇ ଅନେକ ସିନେମା ପ୍ରସ୍ତୁତ ହୋଇଛି ।

ବର୍ଡର : ଜେପି ଦତ୍ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ବର୍ଡର ସିନେମାରେ ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବାବଦରେ ଦେଖିବାକୁ ମିଳିଥିଲା । ଏହି ସିନେମାରେ ସନି ଦେଓଲ, ପୂଜା ଭଟ୍ଟ, ସୁନିଲ ସେଟ୍ଟୀ, ଜ୍ୟାକି ଶ୍ରଫ ଓ ଅକ୍ଷୟ ଖାନ୍ନା ଭଳି କଳାକାର ଅଭିନୟ କରିଥିଲେ । ଏହା ବଲିଉଡର ସୁପର ହିଟ୍ ସିନେମା ମଧ୍ୟରୁ ଅନ୍ୟତମ ।

ଏଲଓସି କାରଗିଲ: ୨୦୦୩ରେ ରିଲିଜ ହୋଇଥିବା ଏହି ସିନେମାରେ ଅଜୟ ଦେବଗନ, ସୁନିଲ ସେଟ୍ଟୀ, ସୈଫ ଅଲୀ ଖାନ ଓ ଅଭିଷେକ ବଚ୍ଚନ ଭଳି କଳାକାର ଅଭିନୟ କରିଥିଲେ । ଏହି ସିନେମା ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧର କାହାଣୀ ଉପରେ ଅଧାରିତ ଥିଲା ।

ରାଜୀ : ଭିକ୍କି କୌଶଲ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଏହି ସିନେମାର କାହାଣୀ ୧୯୭୧ ଭାରତ ଓ ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଥିଲା । ଫିଲ୍ମରେ ଆଲିୟା ଭଟ୍ଟ ଜଣେ ଗୁଇନ୍ଦା ଭୂମିକାରେ ଅଭିନୟ କରିଥିଲେ । ଏହି ସିନେମାରେ ଆଲିୟା ଓ ଭିକ୍କିଙ୍କ ବ୍ୟତୀତ ଜୟଦୀପ ଅହଲାବତ, ସୋନୀ ରାଜଦାନ ଓ ରଜିତ କପୁରଙ୍କ ଭଳି କଳାକାର ଅଭିନୟ କରିଥିଲେ ।

ଓରି: ୨୦୧୬ ସେପ୍ଟେମ୍ବର ମାସରେ ଭାରତୀୟ ସେନା ସୀମା ପାର କରି ପାକିସ୍ତାନ ଉପରେ ଓରି ଆକ୍ରମଣର ପ୍ରତିଶୋଧ ନେଇଥିଲା । ଓରି ସିନେମା ମାଧ୍ୟମରେ ଏହି ଆକ୍ରମଣର କାହାଣୀ ଦର୍ଶକଙ୍କ ଆଗରେ ରଖାଯାଇଥିଲା । ଏହି ସିନେମାରେ ମଧ୍ୟ ଭିକ୍କି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଲକ୍ଷ୍ୟ: ହ୍ରିତିକ ରୋଶନଙ୍କ ଅଭିନୀତ ଏହି ସିନେମା ୨୦୦୪ ମସିହାରେ ରିଲିଜ ହୋଇଥିଲା । ଏହି ସିନେମା ମାଧ୍ୟମରେ ୧୯୯୯ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବାବଦରେ ଦର୍ଶକ ଦେଖିବାକୁ ପାଇଥିଲେ ।

ମାଚିସ୍ : ବଲିଉଡର ସୁପର ହିଟ୍ ସିନେମା ମଧ୍ୟରେ ମାଚିସ ଅନ୍ୟତମ । ଏହି ସିନେମାଟି ୧୯୯୬ ମସିହାରେ ରିଲିଜ ହୋଇଥିଲା । ମାଚିସ୍ ରେ ଚନ୍ଦ୍ରଚୁଡ ସିଂ, ତବୁ ଓ ଓମ୍ ପୁରୀ ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୧୯୮୦ ମସିହାରେ ପଞ୍ଜାବର ଶୀଖ୍ ବିଦ୍ରୋହ ବେଳେ ଏକ ସାଧାରଣ ବ୍ୟକ୍ତି କିଭଳି ଆତଙ୍କବାଦୀ ହୋଇଗଲେ ତାହା ଉପରେ ଦର୍ଶକମାନେ ଦେଖିବାକୁ ପାଇଥିଲେ ।

ମା’ତୁଝେ ସଲାମ : ୨୦୦୨ ମସିହାରେ ରିଲିଜ ହୋଇଥିବା ଏହି ସିନେମାର ମୁଖ୍ୟ କଳାକାର ଥିଲେ ସନି ଦେଓଲ । ମା ତୁଝେ ସଲାମ ବଲିଉଡର ସେହି ସିନେମା ମଧ୍ୟରୁ ଅନ୍ୟତମ ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିଥିଲା ।

ବର୍ଡର ହେଉ କି ଓରି ବଲିଉଡର ଏହିସବୁ ସିନେମା ଦେଖିବା ପରେ ମଣିଷ ମନରେ ଦେଶ ପ୍ରତି ଥିବା ଭଲପାଇବା ବହୁଗୁଣରେ ବୃଦ୍ଧି ପାଇଥିଲା ।