ତିନି ଦିନର ହଟହଟା ପରେ ଘରକୁ ବାହୁଡିଲେ ସଂଗ୍ରାମୀଙ୍କ ବୋହୁ : ଇନୋଭାରେ ପଠାଇଲେ ବାଲେଶ୍ୱର ଜିଲ୍ଲାପାଳ

42

କନକ ବ୍ୟୁରୋ : ତିନି ଦିନିର ହଟହଟା ପରେ ଶେଷରେ ଘରକୁ ବାହୁଡ଼ିଛନ୍ତି ସୁଜାତା ପଣ୍ଡା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପାଇଁ ଭୁବନେଶ୍ୱର ଧାଇଁ ଆସିଥିଲେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ପରିବାର । ଅତିଥି ହୋଇ ଭୁବନେଶ୍ୱର ଆସିଥିଲେ, ହେଲେ ଘରକୁ ଫେରିବା ବାଟରେ ହୋଇଗଲେ ବାଟବଣା । ସୁଜାତା ଏବଂ ସୁରେନ୍ଦ୍ର ପଣ୍ଡା ଘରକୁ ଫେରିଥିବା ବେଳେ ଏଯାଏଁ ତାଙ୍କ ନାତିଙ୍କ ଖୋଜଖବର ମିଳିନି । କେମିତି ଥିଲା ଏହି ୩ ଦିନିର ଯନ୍ତ୍ରଣା, କନକ ନ୍ୟୁଜ୍ ଆଗରେ ବଖାଣିଛନ୍ତି ସୁଜାତା ପଣ୍ଡା ।

ସମ୍ମାନ ପରେ ଇଏ ହେଉଛି ଅସମ୍ମାନର କାହାଣୀ । ପ୍ରଧାନମନ୍ତ୍ରୀ ମୋଦି ସମ୍ବର୍ଦ୍ଧନାରେ ପରେ ଏମିତି ରାସ୍ତାରେ ଛାଡ଼ି ଦେଇଥିଲେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପରିବାର ଲୋକଙ୍କୁ । ଆଉ ତାପରେ ଷ୍ଟେସନରେ ବାଟବଣା ହୋଇଯାଇଥିଲା ପୁରା ପରିବାର । ତିନି ଦିନ ହଟହଟା ପରେ ବାଲେଶ୍ୱର ପ୍ରଶାସନ ସହାୟତାରେ ଜୟପୁର ଯାଇଛନ୍ତି ସୁଜାତା ପଣ୍ଡା ।

ସମ୍ବର୍ଦ୍ଧନା ପରେ କାହିଁକି ଭୁଲିଗଲା ବିଜେପି ? ସସମ୍ମାନେ ଘରେ ପହଂଚାଇବାର ଦାୟିତ୍ୱ ଥିଲା ନା’ ନାହିଁ ? ୬ ହଜାର ଟଙ୍କା ବାଟ ଖର୍ଚ୍ଚ ଦେଇ କାମ ସାରିଦେଲା ସମ୍ମାନ ପାଇଁ ନିମନ୍ତ୍ରଣ କରିଥିବା ବିଜେପି । ବାଟବଣା ହୋଇ ସୁଜାତା ଚଢ଼ିଯାଇଥିଲେ ଉତ୍କଳ ଏକ୍ସପ୍ରେସରେ, ଆଉ ପରିବାର ଲୋକ ଚଢ଼ିଥିଲେ ହୀରାଖଣ୍ଡ ଏକ୍ସପ୍ରେସରେ । ଘଟଣାର ତିନି ଦିନ ପରେ ବି ଏଯାଏଁ ଘରକୁ ଫେରି ନାହାଁନ୍ତି ସୁଜାତାଙ୍କ ନାତି ।

ରବି ନନ୍ଦ ଆଜି ସୁଜାତାଙ୍କ ଘରେ ପହଂଚିଛି ସାନ୍ତ୍ୱନା ଦେଇଥିବାବେଳେ ବିଜେପିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସେହିପରି ସାମ୍ମାନିତ କରି ବାଃ ବାଃ ସାଉଟିବା ବଦଳରେ ଆର୍ଥିକ ସାହାଯ୍ୟ ନଦେଇ କେବଳ ବିଜେପି ରାଜନୀତି କରୁଥିବା କହିଛନ୍ତି ତାରାବାହିନୀପତି । ଆଉ ଏହି ସମଗ୍ର ଘଟଣାରେ ଦୁଃଖ ପ୍ରକାଶ କରିଛି ବିଜେପି । ସମ୍ବର୍ଦ୍ଧନା ଆଳରେ ରାଜନୈତିକ ଦଳ ଗୁଡ଼ିକ ରାଜନୀତି କରିବା ପରିବର୍ତେ, ଯଦି ସଂଗ୍ରାମୀଙ୍କ ଦାୟାଦଙ୍କ ସମସ୍ୟା କଥା ବୁଝିବେ, ତାହା ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତି ହୁଏତ ତାହା ପ୍ରକୃତ ସମ୍ମାନ ହେବ ।

ଦେଖନ୍ତୁ ଏହି ଭିଡିଓ –