ଓଡିଶାରେ ବଢୁଛି ଆତ୍ମହତ୍ୟା, ଜାତୀୟ ହାରଠାରୁ ଅଧିକ । ବିଚାରପତି, ଅଭିନେତା, ଇଂଜିନିୟରଙ୍କ ଭଳି ଉଚ୍ଚଶିକ୍ଷିତ ମଧ୍ୟ କରୁଛନ୍ତି ଆତ୍ମହତ୍ୟା ।

84

କନକ ବ୍ୟୁରୋ: ଓଡିଶାରେ ଉଦବେଗଜନକ ଭାବେ ଆତ୍ମହତ୍ୟା ବଢିବାରେ ଲାଗିଛି । ଏପରି କି ଆତ୍ମହତ୍ୟା ମାମଲାରେ ଜାତୀୟ ହାରଠାରୁ ଓଡିଶା ଆଗରେ ରହିଛି । ଏହାଛଡା କଟକ-ଭୁବନେଶ୍ୱର ଟୁଇନ ସିଟିରେ ଆତ୍ମହତ୍ୟା ବଢିବା ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ପୁଲିସ ଭବନରେ ଆୟୋଜିତ କର୍ମଶାଳାରେ ଆତ୍ମହତ୍ୟାର କାରଣ ଓ ଏହାର ନିରାକରଣକୁ ନେଇ ଆଲୋଚନା ହୋଇଛି । ଆତ୍ମହତ୍ୟା ରୋକିବା ପାଇଁ ଜନସଚେତନତାକୁ ପ୍ରମୁଖ ଅସ୍ତ୍ର କରିବା ପାଇଁ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି ।

  • ଓଡ଼ିଶାରେ ବଢୁଛି ଆତ୍ମହତ୍ୟା ମାମଲା
  • ଜାତୀୟ ହାରଠାରୁ ଆଗରେ ଓଡ଼ିଶା

ଓଡିଶାରେ ଆତ୍ମହତ୍ୟା ମାମଲା ବୃଦ୍ଧିକୁ ନେଇ ପୁଲିସ ଭବନରେ ଆୟୋଜିତ କର୍ମଶାଳାରେ ଉଦବେଗ ପ୍ରକାଶ ପାଇଛି । ଜାତୀୟ ଆତ୍ମହତ୍ୟା ହାର ୧୨ ପ୍ରତିଶତ ଥିବା ବେଳେ ଓଡିଶାରେ ଏହି ହାର ୧୨.୫ ପ୍ରତିଶତ । ଖାଲି ଏତିକି ନୁହେଁ ଯୁବପିଢିଙ୍କ ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି । କମିଶନରେଟ ପୁଲିସ ପକ୍ଷରୁ ଆତ୍ମହତ୍ୟା ଓ ଆଇନ ପ୍ରଣୟନକାରୀ ଦିଗରେ କାମ କରୁଥିବା ବିଶେଷଜ୍ଞଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ, ଓଡିଶାରେ କାହିଁକି ଆତ୍ମହତ୍ୟା ବଢୁଛି ? ଆତ୍ମହତ୍ୟାର କାରଣ ଓ ଏହାର ନିରାକରଣ ସଂପର୍କରେ ଆଲୋଚନା କରାଯାଇଛି ।

ଆଉ ଏକ ଚିନ୍ତା ଜନକ ଖବର ହେଉଛି ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା କଟକ-ଭୁବନେଶ୍ୱର ଟୁଇନ ସିଟିରେ ୨୨୬ ଆତ୍ମହତ୍ୟା ମାମଲା ହୋଇଛି । ବଡ କଥା ହେଉଛି ଆତ୍ମହତ୍ୟା କରି ଜୀବନ ହାରିଥିବା ଲୋକଙ୍କ ମଧ୍ୟରେ ବିଚାରପତି, ଅଭିନେତା, ଇଂଜିନିୟର, ମହିଳା ଓ ଛାତ୍ରୀ ଭଳି ଶିକ୍ଷିତ ଗୋଷ୍ଠୀ ଅଛନ୍ତି ।

ଏହାଛଡା ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବଢିବା ଲୋକଙ୍କ ମନରେ ନକରାତ୍ମକ ଭାବନା ସୃଷ୍ଟି କରୁଛି ।
ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ସୁଇସାଇଡ଼ ଆଣ୍ଡ ଲ’ ଏନଫୋର୍ସମେଂଟ’ ଲେକଚର ସିରିଜରେ ସାମିଲ ଅତିଥୀମାନେ ଆତ୍ମହତ୍ୟାର କାରଣ ଓ ଏହାର ନିରାକରଣ ଉପରେ ଆଲୋଚନା କରିଛନ୍ତି । ଏକ ଦୁର୍ବଳ ମୁହୂର୍ତ୍ତରେ ନିଜ ଜୀବନ ହାରିବାକୁ ଲୋକେ ଚରମ ନିଷ୍ପତି ନେଉଥିବାରୁ ଏହାକୁ ରୋକିବା ପାଇଁ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି ।