ଜୋରଧରିଛି ନିମାପଡାକୁ ରାଜସ୍ୱ ସବ-ଡିଭିଜନ ମାନ୍ୟତ ଦାବି ! ଆନ୍ଦୋଳନରେ ଚେତାବନୀ ଦେଇଛି ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚ

39

କନକ ବ୍ୟୁରୋ: ଦେଶ ସ୍ୱାଧିନତାକୁ ବିତିଲାଣି ୭୨ ବର୍ଷ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ବିତିଲାଣି ୮୨ ବର୍ଷ । ହେଲେ ଆଜି ଯାଏଁ ନିମାପଡ଼ାକୁ ମିଳିପାରିନାହିଁ ସବ୍-ଡିଭିଜନର ମାନ୍ୟତା । ସମସ୍ତ ପ୍ରକାର ଭିତିଭୂମି ଥାଇ ମଧ୍ୟ ସବ୍-ଡିଭିଜନର ମାନ୍ୟତା ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି । କେଉଁଠି ରହିଛି ଅସୁବିଧା? ଏଥିାପାଇଁ ଦାୟୀ କିଏ? ନେତା ନା ଜନତା? ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ନିମାପଡାର ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଙ୍କି ମାରୁଛି ।

ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ହେଉଛି ଜିଲ୍ଲାର ଦ୍ୱିତୀୟ ବୃହତମ ସହର । ନିମାପଡ଼ା, ଜିଲ୍ଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ । ଏଠାରେ ସମସ୍ତ ସବଡିଭିଜନ ସ୍ତରୀୟ କାର୍ଯ୍ୟାଳୟ ରହିଛି । ହେଲେ ନିମାପଡାକୁ ଆଜି ଯାଏଁ ମିଳିପାରିନି ସବ-ଡିଭିଜନର ମାନ୍ୟତା । ନିମାପଡ଼ା, ଗୋ. କାକଟପୁର, ଅସ୍ତରଙ୍ଗ ସହ ନିମାପଡ଼ା ଏନ.ଏ.ସି ଓ କୋଣାର୍କ ଏନ.ଏ.ସି.ର ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ନିମାପଡ଼ାକୁ ସବ୍-ଡିଭିଜନ ଭାବେ ଘୋଷଣା କରିବାକୁ ଦାବି କରିଛି “ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚ” ।

ରାଜନୈତିକ ଇଛାଶକ୍ତି ଏବଂ ବ୍ୟାପକ ଜନଆନ୍ଦୋଳନର ଅଭାବ ଯୋଗୁଁ ନିମାପଡ଼ାକୁ ସବଡିଭିଜନ ଭାବେ ଘୋଷଣା କରାଯାଇନଥିବା କୁହାଯାଉଛି । ନିମାପଡ଼ାକୁ ସବଡିଭିଜନ ଭାବେ ଘୋଷଣା କରାଗଲେ ଏଠାରେ ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସହିତ ଏସ.ଡି.ଜେ.ଏମ କାର୍ଯ୍ୟାଳୟ ଖୋଲାଯାଇପାରନ୍ତା । ଅଂଚଳବାସୀ ଅଧିକ ଖର୍ଚ୍ଚାନ୍ତ ଓ ସମୟ ଅପଚୟ କରି ପୁରୀ ନଯାଇ ଏଠାରେ ନ୍ୟାୟ ପାଇପାରନ୍ତେ ବୋଲି ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚ ପକ୍ଷରୁ କୁହାଯାଇଛି । ତେବେ ଆଗମୀ ଦିନରେ ଯଦି ନିମାପଡ଼ାକୁ ତୁରନ୍ତ ସବ୍ଡିଭିଜନର ମାନ୍ୟତା ଦିଆନଯାଏ ତେବ “ମଂଚ” ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦିଆଯାଇଛି ।