ସ୍କୁଲ ଛାତ୍ରଙ୍କ ହାତରେ ଫୁଟିଲା ବୋମା : ୨ ଛାତ୍ର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି; ପୋଲିସର ତଦନ୍ତ ଜାରି

185

କନକ ବ୍ୟୁରୋ : ସ୍କୁଲରେ ବୋମା ବିସ୍ଫୋରଣ । ପକେଟରେ ବୋମା ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅଧୀନ ଋତୁଙ୍ଗିଆ ପଞ୍ଚାୟତରେ ଥିବା ସେଂଟ ଜାଭିଅର ସ୍କୁଲରେ । ସ୍କୁଲର ୫ମ ଶ୍ରେଣୀ ଛାତ୍ର ସ୍ଥାନୀୟ ବଉଦୁଙ୍ଗିଆର ଯଶ ନାୟକ, କମ୍ବାଡ଼ିର ଆଶିଷ ନାୟକ ଓ ଡଙ୍ଗାମିଲାର ନିହାଲ ନାୟକ ସାଙ୍ଗ ହୋଇ ବିରତି ସମୟରେ ବାହାରକୁ ଯାଇ ବିଦ୍ୟାଳୟକୁ ବୋମା ଧରି ଆସିଥିଲେ ।

ବୋମାଟିକୁ ଯଶ ନିଜ ପକେଟରେ ରଖିଥିବା ବେଳେ ତାକୁ ବିଦ୍ୟାଳୟରେ କାଢ଼ିବା ବେଳେ ବିସ୍ଫୋରଣ ଘଟିଥିଲା । ଶବ୍ଦ ଶୁଣି ସମସ୍ତ ଶିକ୍ଷକଙ୍କ ସହ କର୍ମଚାରୀମାନେ ଦୌଡ଼ି ଆସିଥିଲେ । ସେତେ ବେଳକୁ ତିନି ଛାତ୍ର ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯଶର ଡାହାଣ ହାତର ପାପୁଲି, ଜଙ୍ଘ ଏବଂ ଅନ୍ୟାନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି ।

ସେହିପରି ଆଶିଷର ହାତ ଓ ପେଟରେ ଆଘାତ ଲିଗିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ନିହାଲକୁ ପ୍ରାଥମିକ ଚିକିତ୍ସା କରାଯାଇ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରଧାନଶିକ୍ଷକ ଭିକ୍ଟର ଯୋସେଫ ବାଲିଗୁଡ଼ା ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ପୁଲିସ ସ୍କୁଲରେ ପହଂଚି ଛାତ୍ରଛାତ୍ରୀ ବାଣ କେଉଁଠୁ ଆଣିଲେ ତାର ତଦନ୍ତ କରିଛି ।