ପୁଣି ଶିମିଳିପାଳ ଅଭୟାରଣ୍ୟରୁ ବାଘ ଚମଡା ଜବତ : ଢାବାରେ ଚଢ଼ଉ କରି ବାଘ ଛାଲ ସହ ୮ ଜଣ ଗିରଫ

110

କନକ ବ୍ୟୁରୋ : ପୁଣି ଏକ କଲରାପତିରିଆ ବାଘ ଚମଡା ଜବତ, ୮ ଗିରଫ । ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବନ ବିଭାଗ ଏ ବାବଦରେ ଅନ୍ଧାରରେ ଥିବା ବେଳେ ମୟୂରଭଞ୍ଜ ପୁଲିସ ଏକ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଝାରପୋଖରିଆ ଥାନା ୪୯ ନମ୍ବର ଜାତୀୟ ରାଜପଥର କତରାଠାରେ ଥିବା ଟାୱାର ଢାବାରେ ଗତକାଲି ବିଳମ୍ବିତ ରାତିରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା ।

ପୂର୍ବତନ ବନ୍ୟପ୍ରାଣୀ ତତ୍ୱବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏ ସଂକ୍ରାନ୍ତରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଏସପି ରିଷିକେଶ ଦ୍ୟାନଦେଓ ଖିଲାରୀଙ୍କୁ ଜଣାଇଥିଲେ । ଏସ୍ପିଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ବାଘଟି ଶିମିଳିପାଳରୁ ଶିକାର ହୋଇଥିବା ଓ ଏଥିରେ ବନ ବିଭାଗର କିଛି ତଳିଆ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍ପି ଖିଲାରୀ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଚଳିତ ମାସ ୧୮ ତାରିଖରେ ମୟୁରଭଞ୍ଜ ପୋଲିସ ଖୁଂଟା ଥାନା ଅଧିନସ୍ଥ ଭୋଳାଗଡ଼ିଆରେ ଚଢ଼ାଉ କରି ଏକ କଲରାପତରିଆ ବାଘ ଚମଡା ଜବତ ହୋଇଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିକାରୀଙ୍କ ପାଇଁ ଏବେ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ । ବନ ବିଭାଗ ହାତ ଟେକି ଦେଇଛି । ଶିକାରୀମାନେ ନିର୍ବିଘ୍ନରେ ଅଭୟାରଣ୍ୟରୁ ହାତୀ, ବାଘ ଆଦି ବନ୍ୟଜନ୍ତୁ ଶିକାର କରୁଛନ୍ତି । ଦୁଇ ମାସରେ ୨ଟି ହାତୀ ଶିକାର ହୋଇଥିବା ବେଳେ ୨ଟି ବାଘ ଛାଲ ଜବତ ହେଲାଣି ।