ରାଜ୍ୟ ସରକାରଙ୍କ ବିଜ୍ଞାପନ ବନାମ ସେଲର ବିଜ୍ଞାପନ । ଶ୍ରେୟକୁ ନେଇ ଆରମ୍ଭ ହେଲା ରାଜନୀତି ।

112

କନକ ବ୍ୟୁରୋ : ତେଜିଲା ଶ୍ରେୟ ରାଜନୀତି । ବିଜେଡି-ବିଜେପି ମୁହାଁମୁହିଁ । ଶନିବାର ଦିନ ରାଉରକେଲାକୁ ବିମାନ ଉଡିଲା । କିନ୍ତୁ କିଏ ଶ୍ରେୟ ନେବ, ଏହାକୁ ନେଇ ଦୁଇ ଦିନ ଧରି ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଖବର କାଗଜରେ ପ୍ରକାଶିତ ଦୁଇଟି ବିଜ୍ଞାପନ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଗୋଟିଏ ପଟେ ଶନିବାର ଦିନ ପ୍ରକାଶ ପାଇଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ବିଜ୍ଞାପନ, ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଅଧୀନ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ରବିବାର ପ୍ରକାଶ ପାଇଥିବା ବିଜ୍ଞାପନ । ରାଜ୍ୟ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଫଟୋ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନରେ ରାଉରକେଲାକୁ ବିମାନ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ଏବଂ ଏଥିରେ କେବଳ ମୋଦୀଙ୍କ ଫଟୋ ପ୍ରକାଶ ପାଇଛି । ଯାହାକୁ ହଜମ କରିପାରିନାହିଁ ବିଜେଡି । ଧର୍ମେନ୍ଦ୍ରଙ୍କ ମହାନତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏହାର ପ୍ରତିକ୍ରିୟାରେ ବିରୋଧୀ ଦଳ ନେତା କହିଛନ୍ତି, ବାରମ୍ବାର ଅପମାନିତ କରି ସୌଜନ୍ୟତା ଆଶା କରିବା ବେକାର । ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, କ୍ଷମତା ପାଇଁ ଉଭୟ ବିଜେଡି ଓ ବିଜେପି ଶସ୍ତା ରାଜନୀତି କରୁଛନ୍ତିି ।

ସାଧାରଣ ନିର୍ବାଚନକୁ ଆହୁରି ୧୫ ମାସ ବାକି ଥିବା ବେଳେ ରାଜ୍ୟରେ ରାଜନୈତିକ ବାତାବରଣ ଉଷ୍ଣ ହେବାରେ ଲାଗିଛି । ଦୁଇ ପ୍ରମୁଖ ଦଳ ମଧ୍ୟରେ ଲାଗି ରହିଛି କଥା କଟାକଟି ।