ଦିନକୁ ୨ ଥର ଅଦୃଶ୍ୟ ହୋଇଯାଏ ଶିବ ମନ୍ଦିର । ଲୋକକଥା ଅନୁଯାୟୀ, ଏହି ମନ୍ଦିରର ସ୍ଥାପନା କରିଥିଲେ କାର୍ତ୍ତିକ, ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର ବାବଦରେ କିଛି?

303

କନକ ବ୍ୟୁରୋ : ଶ୍ରାବଣ ମାସ ଚାଲିଥିବାରୁ ଏବେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କର ଭିଡ ଲାଗି ରହିଛି । ଲୋକକଥା ଅନୁଯାୟୀ, ଶ୍ରାବଣ ମାସରେ ମହାଦେବଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସେଥିପାଇଁ ଶ୍ରାବଣ ମାସରେ ଦେଶର ବିଭିନ୍ନ ଶିବ ମନ୍ଦିରରେ ଭିଡ ଲାଗି ରହିଥାଏ । ତେବେ ଏହି ମନ୍ଦିର ମଧ୍ୟରୁ ଏମିତି ଅନେକ ପ୍ରାଚୀନ ମନ୍ଦିର ରହିଛି ଯାହାର ଇତିହାସ ଜାଣିବାକୁ ଦୂର ଦୂରାନ୍ତରରୁ ଭକ୍ତ ଆସିଥାନ୍ତି । ଆଉ ସେହିଭଳି ଏକ ମନ୍ଦିର ହେଉଛି ଗୁଜୁରାଟ ବରୋଦାରେ ଥିବା ସ୍ତମ୍ଭେଶ୍ୱର ମନ୍ଦିର । ଯେଉଁ ମନ୍ଦିର ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ । ଆଉ ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ସଂଖ୍ୟକ ଭକ୍ତ ଏଠାରେ ଏକାଠି ହ୍ରୁଅନ୍ତି ।

ଭଗବାନ ଶିବଙ୍କ ଏହି ବିଶ୍ୱବିଖ୍ୟାତ ସ୍ତମ୍ଭେଶ୍ୱର ମନ୍ଦିର ସମୁଦ୍ରରେ ରହିଛି । ମାନ୍ୟତା ଅନୁଯାୟୀ, ମହାଦେବଙ୍କ ପୁଅ କାର୍ତ୍ତିକ ଏହି ମନ୍ଦିରର ସ୍ଥାପନା କରିଥିଲେ । ସମୁଦ୍ର ମଝିରେ ଏହି ମନ୍ଦିର ରହିଥିବାରୁ ଦୈନିକ ୨ ଥର ଏହା ପାଣି ଭିତରେ ବୁଡି ଯାଇଥାଏ ଏବଂ ଜୁଆର କମିବା ପରେ ପୁଣିଥରେ ଦେଖିବାକୁ ମିଳିଥାଏ । ପ୍ରତିଦିନ ସନ୍ଧ୍ୟା ଓ ସକାଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଦିନକୁ ୨ ଥର ଶିବ ମନ୍ଦିର ବୁଡିବା ଓ ଦେଖାଯିବାକୁ ନେଇ ଭକ୍ତ ମାନେ କୁହନ୍ତି, ସମୁଦ୍ର ଦ୍ୱାରା ମହାଦେବଙ୍କ ଜଳାଭିଷେକ ହେଉଛି । ଜଳସ୍ତର ବଢିବା ସହ ମନ୍ଦିର ବୁଡିବା କ୍ଷଣି ଏହି ସ୍ଥାନକୁ ଭକ୍ତ ମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥାଏ । ଲୋକକଥା ଅନୁଯାୟୀ, ରାକ୍ଷସ ତାଡକାସୁରଙ୍କ ବଧ କରିବା ପରେ ଏଠାରେ କାର୍ତ୍ତିକ ଏକ ଶିବ ମନ୍ଦିରର ସ୍ଥାପନା କରିଥିଲେ । କାଳକ୍ରମେ ଏହି ମନ୍ଦିର ସମୁଦ୍ର ଗର୍ଭରେ ଲୁଚି ଯାଇଥିଲା । କିନ୍ତୁ ୧୫୦ ବର୍ଷ ପୂର୍ବେ ପୁଣିଥରେ ଏହି ମନ୍ଦିରକୁ ଖୋଜି ବାହାର କରାଯାଇଥିଲା ।