ମିଳିଥିଲା ଜିରୋ ଭୋଟ୍… ହୋଇଗଲେ ଏସିଆ କପ ଚାମ୍ପିୟନ। ଭାଇରାଲ ହେଉଛି ଅନଲାଇନ ଭୋଟିଂର ଫଟୋ।

358

କନକ ବ୍ୟୁରୋ: ଶ୍ରୀଲଙ୍କା ଦଳ ଏସିଆ କପ କ୍ରିକେଟର ଚାମ୍ପିୟନ ହୋଇସାରିଛି । ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଫାଇନାଲରେ ପାକିସ୍ତାନକୁ ୨୩ରନରେ ପରାସ୍ତ କରି ଏହି ସଫଳତା ହାସଲ କରିଛି । ନିକଟରେ ରାଜନୈତିକ ଓ ଆର୍ଥିକ ଅସ୍ଥିରତାର ସାମ୍ନା କରୁଛି ଶ୍ରୀଲଙ୍କା । ଏହି ବିଜୟ ପରେ ଦେଶରେ ସାମନ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି । ଷଷ୍ଠ ଥର ପାଇଁ ଶ୍ରୀଲଙ୍କା ଏସିଆ କପ ଟ୍ରଫି ହାତେଇଛି । ତେବେ ପ୍ରତିଯୋଗିତା ଆରମ୍ଭରୁ ଶ୍ରୀଲଙ୍କା ବିଜୟୀ ହେବ ବୋଲି କେହି ଆଶା କରିନଥିଲେ । ମ୍ୟାଚ ବେଳେ ଟିଭିରେ ହେଉଥିବା ଭୋଟିଂରେ ଶ୍ରୀଲଙ୍କା ସପକ୍ଷରେ ଦର୍ଶକ ଗୋଟିଏ ହେଲେ ଭୋଟ ଦେଇନଥିଲେ । ଏହି ଦଳକୁ ପ୍ରଶଂସକ ଆଫଗାନିସ୍ତାନଠାରୁ ମଧ୍ୟ ଦୁର୍ବଳ ଭାବୁଥିଲେ ।


ସୁପର-୪ ପୂର୍ବରୁ ଟିଭିରେ ଦର୍ଶକଙ୍କ ପାଇଁ ଗୋଟିଏ ଅନଲାଇନ ପୋଲ କରାଯାଇଥିଲା । ଏଥିରେ ପ୍ରଶ୍ନ କରାଯାଇଥିଲା ଯେ ଏସିଆ କପ-୨୦୨୨ର ବିଜେତା କିଏ ହେବେ? ଏଥିରେ ଭାରତକୁ ପ୍ରବଳ ଦାବିଦାର ଭାବେ ଅଧିକ ଭୋଟ ପାଇଥିଲା । ଦ୍ୱିତୀୟ ସ୍ଥାନରେ ଆଫଗାନିସ୍ତାନ ଥିବା ବେଳେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଥିଲା । ତେବେ ଶ୍ରୀଲଙ୍କା ସପକ୍ଷରେ ଗୋଟିଏ ପ୍ରତିଶତର ଭୋଟ ମଧ୍ୟ ପଡିନଥିଲା । ବର୍ତ୍ତମାନ ଏହି ଟ୍ୱିଟ ଭାଇରାଲ ହେବାରେ ଲାଗିଛି । ସବୁଠି ଶ୍ରୀଲଙ୍କାର ପ୍ରଂଶସା ଦେଖିବାକୁ ମିଳିଛି । ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପର ଟ୍ରଫି ହାତେଇଛି ସିଂହଳୀ ଟିମ୍ ।